ଜଗତସିଂହପୁର :ତା ୧୪.୦୪.୨୬/ସୁମନ୍ତ କୁମାର ଦାସ: ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ଭାବେ ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ ଯୋଗଦେଇ ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ ଓ କହିଥିଲେ ଯେ ଦଳିତ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ପହଞ୍ଚାଇବାରେ ଆମ୍ବେଦକର ଙ୍କ ଅବଦାନ ଚିରସ୍ମରଣୀୟ । ଶିକ୍ଷିତ ଓ ସଙ୍ଗଠିତ ହେବା ପାଇଁ ସେ ସମସ୍ତଙ୍କୁ ଉପଦେଶ ଦେଇଥିଲେ । ସେ କହିଥିଲେ ଯେ ଆମେ ସମ୍ବିଧାନ କୁ ମାନି ଆଇନ୍ ଅନୁସାରେ କାର୍ଯ୍ୟ କରିଲେ ଏକ ସୁନ୍ଦର ସମାଜ ଗଠନ ହୋଇପାରିବ । ଶିକ୍ଷା ରହିଲେ ସଂସ୍କାର ଆସିବ ଓ ଆମେ ସଚେତନ ହେଲେ ହିଁ ସଂଗଠନ ହୋଇପାରିବା । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଧାୟକ, ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ କହିଥିଲେ ଯେ ଶିକ୍ଷା ବ୍ୟବସ୍ଥା ରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି । ବିଦ୍ୟାଳୟ ପାଠ୍ୟକ୍ରମରେ ଆଇନ୍ ବ୍ୟବସ୍ଥା ର ବିଷୟ ବସ୍ତୁ ରହିବା ଆବଶ୍ୟକ। ଆମ୍ବେଦକର ଙ୍କ ଭଳି ଆମେ ଅଧିକାର ପାଇଁ ଲଢ଼ିବା ଦରକାର । ତାଙ୍କ ବକ୍ତବ୍ୟରେ ସେ ପିଲାମାନଙ୍କୁ ସଂଗ୍ରାମୀ ହେବା ପାଇଁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଭାପତି, ଜିଲ୍ଲା ପରିଷଦ, ଜଗତସିଂହପୁର ଶ୍ରୀ ମନୋଜ କୁମାର ଭୋଇ କହିଥିଲେ ଯେ ଉତ୍ତରପୀଢ଼ି ଆମ୍ବେଦକର ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ ଅଧିକାର ପାଇଁ ଲଢ଼ିବା ଆବଶ୍ୟକ । ଯୁବ ପୀଢ଼ି ସମ୍ବିଧାନ କୁ ସମ୍ମାନ ଦେଇ ରାଷ୍ଟ୍ର ର ଉନ୍ନତିରେ ସଂଗ୍ରାମ କରନ୍ତୁ । ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବିଧାନ ପ୍ରଣେତା ଡ ଆମ୍ବେଦକର ଙ୍କ ମହାନ ଜୀବନ ଆଦର୍ଶ କୁ ପାଥେୟ କରି ଚାଲିବାକୁ ଯୁବପିଢୀ ଙ୍କୁ ଉପଦେଶ ଦେଇଥିଲେ ଓ କହିଥିଲେ ଯେ ଆମ୍ବେଦକର ଥିଲେ ଜଣେ ସମାଜ ସୁଧାରକ ଓ ସଂସ୍କାରକ । ସଭାର ସଭାପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଥିଲେ ଯେ ଆମ୍ବେଦକର ଏକ ଧାରାରେ ଥିଲେ ଜଣେ ଦାର୍ଶନିକ ଓ ସମାଜ ସଂସ୍କାରକ। ତାଙ୍କର ଚିନ୍ତାଧାରା, ଅଭିପ୍ରାୟ ଓ ସ୍ବପ୍ନ ଥିଲା ଦଳିତ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା । ସରକାରଙ୍କ ଯୋଜନା ଗୁଡ଼ିକ ସେମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କର ଉତ୍ଥାନ କରିବା ଆମ ସମସ୍ତଙ୍କର ଉତ୍ତର ଦାୟିତ୍ଵ।ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ସମ୍ବିଧାନ ପ୍ରଣୟନରେ ଡଃ ଆମ୍ବେଦକର ଯେଉଁ ନିଷ୍ଠା, ପରାକାଷ୍ଠା ଓ ଦୂରଦୃଷ୍ଟି ପ୍ରତିପାଦନ କରିଛନ୍ତି ତାହା ଭାରତ ଏବଂ ଭାରତର ସମ୍ବିଧାନକୁ ଅନନ୍ୟ କରିଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ବିଦ୍ୟାଳୟସ୍ତରୀୟ ଓଡ଼ିଆ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚସୀନ ଅତିଥି ମାନେ ପରୁସ୍କୃତ କରିଥିଲେ। ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ/କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ସହର ର ଆଇନଜୀବୀ,ବୁଦ୍ଧିଜୀବୀ,ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଡ଼ଃ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ବି ଆର୍ ଆମ୍ବେଦକର ଓ ଅନ୍ୟ ମହାନ୍ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.