ଅଶୋକ ସାହୁ,ନବରଙ୍ଗପୁର ତା ୧୪.୪.୨୦୨୬: ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ‘ଓଡ଼ିଆ ପକ୍ଷ ୨୦୨୬’ ପାଳନ ଅବସରରେ ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପଞ୍ଚାୟତରାଜ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ବହୁ ସଂଖ୍ୟାରେ ମହିଳା ଓ ଯୁବତୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ପାରମ୍ପରିକ ପିଠାପଣା, ହୁଳହୁଳି ଏବଂ ଝୋଟି-ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଓଡ଼ିଆ ଅସ୍ମିତାର ଏକ ସୁନ୍ଦର ଝଲକ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ଓଡ଼ିଆ ପକ୍ଷ ପାଳନର ନୋଡାଲ ଅଧିକାରୀ ତପନ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ।
ପ୍ରତିଯୋଗିତାରେ ବିଚାରକ ଭାବେ ସମାଜସେବୀ ମନୋରମା ମାଝୀ, ନନ୍ଦାହାଣ୍ଡି ସିଡିପିଓ ସସ୍ମିତା ବାଳା ମହାନ୍ତି, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ (ବାଲ୍ୟ ବିବାହ ନିଷେଧ) ରମା ପଟ୍ଟନାୟକ, ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ଅଧିକାରୀ ପୁଷ୍ପା ପଟ୍ଟନାୟକ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗର କଳ୍ପନା ମହାନ୍ତି ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ଝୋଟି ପ୍ରତିଯୋଗିତାରେ ମଦନ ଜାନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ମିତାରାଣୀ ସାହୁ ଓ ମୀନା ଜାନୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ପିଠା ପ୍ରତିଯୋଗିତାରେ ପାପଡ଼ାହାଣ୍ଡିର ମାର୍ଥା ଏସଏଚଜି ଗ୍ରୁପ ପ୍ରଥମ, ବୁଦାଇ ଦୋରା ଦ୍ୱିତୀୟ ଓ ପୁଷ୍ପଲତା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ହୁଳହୁଳି ପ୍ରତିଯୋଗିତାରେ ୧୨ ସେକେଣ୍ଡ ପର୍ଯ୍ୟନ୍ତ ହୁଳହୁଳି ପକାଇ ପୁଷ୍ପଲତା ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୀତାଞ୍ଜଳି ପୂଜାରୀ ଦ୍ୱିତୀୟ ଓ ପୂଜା ବିଶ୍ୱାସ ତୃତୀୟ ସ୍ଥାନ ହାସଲ କରିଥିଲେ।
ଉତ୍ସବର ଶେଷ ଭାଗରେ ଅତିଥିମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଓଡ଼ିଆ ନବବର୍ଷ ଦିବସର ଗୁରୁତ୍ୱ ଓ ଓଡ଼ିଆ ଭାଷା-ସଂସ୍କୃତିର ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଶେଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍କୃତି ସହକାରୀ ଆତ୍ମ ପ୍ରକାଶ ସାହୁ ଏବଂ ଏ. ସନ୍ତୋଷ କୁମାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.