ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ବେଆଇନ ଭାବେ ଚାଲାଣ ହେଉଥିବା ଦୁଇଟି ଗଞ୍ଜେଇ ବୋଝେଇ ଗାଡ଼ି ଧରା ଯାଇଛି। ଏହା ସହିତ ୧୪୪ କେଜି ଗଞ୍ଜେଇ ଜବତ ହୋଇଛି। ୪ ଜଣଙ୍କୁ ଗିରଫ କରାଯାଇଛି। ନୟାଗଡ଼ ଅବକାରୀ ବିଭାଗ ମୋବାଇଲ ସ୍ୱାର୍ଡ଼ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ଛକରୁ ଭୋର ସମୟରେ ଏକ ଡିଜାୟାର କାର ଧରା ଯାଇଥିଲା । ଉକ୍ତ କାରରେ ୬୦ କେଜି ଗଞ୍ଜେଇ ରହିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଭାଲୁରଗାଁର ବିପ୍ରଚରଣ ଦିଗାଲ ଏବଂ ବୁଲୁ ଦିଗାଲକୁ ଗିରଫ କରାଯାଇଛି। ସେହିଭଳି ଭାବେ ଦଶପଲ୍ଲା ଅବକାରୀ ଥାନା ଅଧିକାରୀ ବାଦଲ ସାମଲଙ୍କ ନେତୃତ୍ୱରେ ବାଣିଗୋଚ୍ଛା ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରୁ ଭୋର ସମୟରେ ଏକ ହାରିଅର ଗାଡ଼ି ଜବତ କରାଯାଇଛି। ଉକ୍ତ ଗାଡ଼ିରେ ୮୪ କେଜି ଗଞ୍ଜେଇ ବୋଝେଇ ହୋଇ ଯାଉଥିଲା। ଏହି ଘଟଣାରେ ଏକ ମାମଲା ରୁଜୁ କରି ଗାଡ଼ିରେ ରହିଥିବା ଦୁଇ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଲେଦୁପଦର ଗ୍ରାମର ପ୍ରଶାନ୍ତ ଦିଗାଲ ଏବଂ ମଝିପଡ଼ା ଗ୍ରାମର ସମ୍ରାଟ ଦିଗାଲକୁ ଅବକାରୀ ବିଭାଗ ଗିରଫ କରିଛି। ନୟାଗଡ଼ ଅବକାରୀ ବିଭାଗ ଦୀର୍ଘଦିନ ବ୍ୟବଧାନରେ ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି। ଦୁଇ ମାମଲାର ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.