ଓଡ଼ିଆ ପକ୍ଷ ଅବସରରେ ରକ୍ତଦାନ ଶିବିର ଆୟୋଜିତ: ସାମିଲ ହେଲେ ବିଭିନ୍ନ ଶିକ୍ଷାନୁଷ୍ଠାନ।

0 2

କେନ୍ଦୁଝର,୦୮।୦୪: ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସ ଅବସରରେ ବୁଧବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ରେଡକ୍ରସ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଅଭିଯାନରେ ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓ ସାଧାରଣ ଜନତା ସ୍ୱତଃସ୍ଫୂର୍ତ୍ତ ଭାବେ ଅଂଶଗ୍ରହଣ କରିଥିଲେ। ମୋଟ ୮୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ, ଏଥିମଧ୍ୟରୁ ଜିଲ୍ଲା ରକ୍ତ ଭଣ୍ଡାରରୁ ୧୫ ୟୁନିଟ୍, ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରରୁ ୨୭ ୟୁନିଟ୍, ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ ୟୁନିଟ୍ ଏବଂ ଦରବାର ହଲ୍‌ଠାରେ ଆୟୋଜିତ ଶିବିରରୁ ୧୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସଂଗୃହୀତ ରକ୍ତକୁ ଜରୁରୀକାଳୀନ ପରିସ୍ଥିତିରେ ଜୀବନ ରକ୍ଷା ତଥା ମାନବ କଲ୍ୟାଣ ନିମନ୍ତେ ଜିଲ୍ଲା ରକ୍ତକେନ୍ଦ୍ରକୁ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ରବିମଙ୍ଗତ ମାରାଣ୍ଡି, ରକ୍ତକେନ୍ଦ୍ର ସମ୍ପାଦକ ଏଆର ଖାନ, ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ଯୁବ ରେଡକ୍ରସ କାଉନସିଲର, ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ, ରେଡକ୍ରସ ଅଧିକାରୀ, ସମାଜ ସେବୀ ଡାକ୍ତର ସଂଜୀବ ଓତ୍ତା, ସହକାରୀ ଜିଲ୍ଲାପାଳ ସନ୍ତୋଷ ଜେନା, ସୂର୍ଯ୍ୟଙ୍କିତା ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଅତିଥିମାନେ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ସମସ୍ତ ରକ୍ତଦାତାଙ୍କୁ ସମ୍ମାନଜନକ ପ୍ରମାଣପତ୍ର ପ୍ରଦାନ କରିଥିଲେ।ଏହି ଅଭିଯାନକୁ ସଫଳ କରିବାରେ ଜିଲ୍ଲା ରେଡକ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରକ୍ତକେନ୍ଦ୍ରର ବୈଷୟିକ କର୍ମଚାରୀମାନଙ୍କ ସହାୟତାରେ ରକ୍ତ ସଂଗ୍ରହ ପ୍ରକ୍ରିୟା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ସ୍ୱେଚ୍ଛାସେବୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.