ବେଧଡ଼କ କଟାଗଲା ୨୦ରୁ ଉର୍ଦ୍ଧ୍ବ ବୃକ୍ଷ, ଗଛ କଟା କୁ ଗ୍ରାମବାସୀ ଙ୍କ ବିରୋଧ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ରେଞ୍ଜର

0 2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ବନ ବିଭାଗର ଅନୁମତି ନ ନେଇ ୨୦ରୁ ଉର୍ଦ୍ଧ୍ବ ବୃକ୍ଷ କାଟିଲା ନୂତନ କରି ଜମି କିଣିଥିବା ଜାଗା ମାଲିକ, ଏପରିକି ନିଜ ଜାଗା ସମେତ ଅନ୍ୟର ପଟ୍ଟା ଜମି ଏବଂ ସରକାରୀ ଜମିରେ ଥିବା ବୃକ୍ଷ ଗୁଡିକୁ ଦିନ ଦ୍ୱିପ୍ରହରେ କାଟି ଲଣ୍ଡା କରି ଦେଇଥିବାରୁ ଗ୍ରାମବାସୀ କଲେ ବିରୋଧ। ଆଜି ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧିନ ଏମଭି-୧୦୯ ଗ୍ରାମରେ। ଉକ୍ତ ଗ୍ରାମରେ ଜଣେ ବ୍ୟକ୍ତି ନୂତନ କରି ଏକ ଜମି କିଣିଥିବା ବେଳେ ବନ ବିଭାଗର ଅନୁମତି ନ ନେଇ ନିଜ ମନ ମୁତାବକ ୨୦ ରୁ ଉର୍ଦ୍ଧ୍ବ ଗଛ କାଟି ଦେଇଥିବା ଦେଖିବାକୁ ମିଳିଛି। ତେବେ ଏଭଳି ବେଧଡ଼କ ଗଛ କଟା କୁ ବିରୋଧ କରିଛନ୍ତି ଏମଭି-୧୦୯ ଗ୍ରାମବାସୀ। ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ଜମି ଚାରି କଡରେ ଥିବା ଅନ୍ୟର ପଟ୍ଟା ଜମି ଏବଂ ସରକାରୀ ଜାଗାରେ ଥିବା ଗଛ ଗୁଡିକୁ ମଧ୍ୟ କାଟି ଦେଇଛନ୍ତି। ଖବର ପାଇ ବନ ବିଭାଗର ବନରକ୍ଷୀ ପ୍ରଶାନ୍ତ ରାଉତ ଘଟଣା ସ୍ଥଳରେ ପହଞ୍ଚି ଏହାର ଅନୁଧ୍ୟାନ କରିଥିଲେ। ତେବେ ଗ୍ରାମବାସୀ ଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ପ୍ରଦାନ ପରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନରକ୍ଷୀ ଶ୍ରୀ ରାଉତ କହିଛନ୍ତି। ଏନେଇ ଆମେ ବନାଞ୍ଚଳ ଅଧିକାରୀ ଲିସ୍ମିତା କଂହର ଙ୍କୁ ପଚାରିବାରୁ ସେ ସ୍ଥାନୀୟ ବନପାଳ ଏବଂ ବନରକ୍ଷୀ ଙ୍କୁ ପ୍ରାଥମିକ ତଦନ୍ତ ନେଇ ନିର୍ଦ୍ଦେଶ ଦେବା ସହ ତଦନ୍ତ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏଭଳି ବେଧଡ଼କ ବୃକ୍ଷ କାଟିଥିବା ବ୍ୟକ୍ତି ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏମଭି-୧୦୯ ଗ୍ରାମର ଗ୍ରାମ ସଭାପତି କାର୍ତ୍ତିକ ମଣ୍ଡଳ, ତାରକ କର୍ମକାର, ଦିବକ ମଣ୍ଡଳ, ଗୋବିନ୍ଦ ରାୟ, ନିତ୍ୟାନନ୍ଦ ମଣ୍ଡଳ, କନାଇ କର୍ମକାର, ପବିତ୍ର କର୍ମକାର, ଭବନାଥ ମଣ୍ଡଳ, ଶଙ୍କର ମଣ୍ଡଳଙ୍କ ସମେତ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.