୫ ଦିନରେ ୩୫ ଛେଳି ଚୋରି, ଚୋରା ବୋଲେରୋ ସହ ୬ ଛେଳି ଉଦ୍ଧାର

0 2

ଓଡ଼ଗାଁ, ୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଗତ ୫ ଦିନ ମଧ୍ୟରେ ପ୍ରାୟ ୩୫ଟି ଛେଳି ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ବିଳମ୍ବିତ ରାତିରେ ବାଣ୍ଠପୁର ପଞ୍ଚାୟତର ନିହଲ ପ୍ରସାଦ ଓ ଓସ୍ତିଆ ଗ୍ରାମରୁ ଚୋରମାନେ ୮ଟି ଛେଳି ଚୋରି କରି ବୋଲେରୋ ଗାଡ଼ିରେ ନେଇଯାଉଥିବା ବେଳେ ଗ୍ରାମବାସୀମାନଙ୍କ ହାତରେ ଧରାପଡିଥିଲେ। ଚୋରିକରି ଚାଲିଯାଉଥିବା ସମୟରେ ବାଣ୍ଠପୁର କୁକୁଡ଼ା ଫାର୍ମ ନିକଟରେ ବୋଲେରୋଟି ଓଲଟି ପଡ଼ିବାରୁ ଚୋରମାନେ ଅନ୍ଧାରର ସୁଯୋଗରେ ଲୁଚିଯାଇଥିଲେ। ଘଟଣାସ୍ଥଳରୁ ୬ଟି ଛେଳି ସହ ବୋଲେରୋ ଗାଡ଼ିକୁ ଗ୍ରାମବାସୀମାନେ ଜବତ କରି ପୋଲିସକୁ ଖବର ଦେଇଥିଲେ। ପରେ ଓଡ଼ଗାଁ ପୋଲିସ ଗାଡ଼ି ଓ ଛେଳିଗୁଡ଼ିକୁ ଥାନାକୁ ଆଣିଥିଲେ ଏବଂ ସନ୍ଦିଗ୍ଧ ଅବସ୍ଥାରେ ଘୁରୁଥିବା ଜଣେ ମହିଳାଙ୍କୁ ପଚରାଉଚରା କରୁଛନ୍ତି । ତଦନ୍ତରୁ ଜଣାପଡ଼ିଛି ଯେ, ଜବତ ବୋଲେରୋ ଗାଡ଼ିଟି (ଓଆର ୦୭ପି ୯୮୫୬) ପ୍ରାୟ ଏକମାସ ପୂର୍ବରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରୁ ଚୋରି ହୋଇଥିଲା। ଉଦ୍ଧାର ହୋଇଥିବା ଛେଳିମାନଙ୍କୁ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି। ଏହାସହିତ, ଗତ କିଛି ଦିନ ଧରି ଧବଳେଇ ଓ ହାତିଆଶିଳା ଅଞ୍ଚଳରୁ ମଧ୍ୟ ବହୁ ଛେଳି ଚୋରି ଘଟଣା ଥାନାରେ ଅଭିଯୋଗ ହୋଇଛି। ପୋଲିସର ପଚରାଉଚରା ପରେ ଏକ ବଡ଼ ଛେଳି ଚୋର ଗ୍ୟାଙ୍ଗର ପର୍ଦାଫାଶ ହେବା ସମ୍ଭାବନା ରହିଛି।

Leave A Reply

Your email address will not be published.