କେନ୍ଦୁଝର,ତା୬/୪- କାଲି ରବିବାରରେ କେନ୍ଦୁଝର ସହର ସ୍ଥିତ ରୋଟାରୀ ଭବନ ଠାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାଂସ୍କୃତିକୀ ପକ୍ଷରୁ ଏକ ଗ୍ରୀଷ୍ମ କାଳୀନ ଚିତ୍ରକଳା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ କି ସାଂସ୍କୃତିକୀ ଅନୁଷ୍ଠାନ ୧୯୮୯ମସିହାରୁ ନିରନ୍ତର ଭାବେ ଜିଲ୍ଲାରେ କଳା ସାହିତ୍ୟ ସଂସ୍କୃତି ରକ୍ଷା ଲାଗି ବଳିଷ୍ଠ ଉଦ୍ୟମ କରିଆସୁଛି। ଜିଲ୍ଲାର ଯୋଗ୍ୟ ଦାୟଦ ଜାତୀୟ ସ୍ତରର ବରିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ରଙ୍କ ମାର୍ଗଦର୍ଶନରେ ଅନ୍ୟାନ୍ୟ ସହଯୋଗୀଙ୍କୁ ନେଇ ଏହି ସଂସ୍ଥା ପ୍ରତି ବର୍ଷ ନିଜସ୍ୱ ଉଦ୍ୟମରେ କଳା ଉତ୍ସବ କରିଆସୁଛି। ଦେଶ ବିଦେଶର କଳା ସାହିତ୍ୟପ୍ରେମୀ ମାନେ ଏଥିରେ ଯୋଗଦେଇ ଆଞ୍ଚଳିକ ପ୍ରତିଭାଙ୍କୁ ଉତ୍ସାହିତ କରିଆସୁଛନ୍ତି। ସାଂସ୍କୃତିକୀ ଅନୁଷ୍ଠାନ କେନ୍ଦୁଝର ଅସନପାଟର ଛଉ ନାଚକୁ ବିଶ୍ୱର ବିରଳ ନୃତ୍ୟ ବୋଲି ବିବେଚନା କରି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସବୁବେଳେ ଜାତୀୟ ସ୍ତରରେ ଏହାକୁ ଅଧିକ ପରିଚିତ କରାଇବାକୁ ବିଶେଷ ଉଦ୍ୟମ କରୁଛି। ତେବେ ଏବେ ସଂସ୍ଥା ପକ୍ଷରୁ କାଲି ସଫଳ ଭାବେ ହୋଇଥିବା ଚିତ୍ରକଳା ପ୍ରଶିକ୍ଷଣ ଶିବିରରେ ଶତାଧିକ ଛାତ୍ରଛାତ୍ରୀ ତଥା ଅଭିଭାବକ ଯୋଗଦେଇଥିଲେ। ଦେଶର ବରିଷ୍ଠ ଚିତ୍ରଶିଳ୍ପୀ ବୀରକିଶୋର ପାତ୍ର ପିଲାଙ୍କୁ ଚିତ୍ରକଳା ଉପରେ ଅନେକ ଉପାଦେୟ ତଥ୍ୟ ଦେଇଥିଲେ, ସେ ନିଜେ ଏକ ସୁନ୍ଦର ତୈଳଚ୍ଚିତ୍ର ମାତ୍ର ଅଧ ଘଣ୍ଟା ଭିତରେ କରି ଉପସ୍ଥାପନ କରିଥିଲେ। ଅନ୍ୟତମ ପ୍ରଶିକ୍ଷକ ବରିଷ୍ଠ ଚିତ୍ରକାର ଅମରେନ୍ଦ୍ର ମହାରଣା ରଙ୍ଗ ତୁଳୀର ପ୍ରକାର ଓ ପ୍ରୟୋଗ, ରଙ୍ଗର ମିଶ୍ରଣ ଓ ପ୍ରଭାବ ସର୍ବୋପରି ଚିତ୍ରକଳା ବିଷୟବସ୍ତୁ ଉପରେ ଆଲୋକର ଅବଦାନ ଉପରେ ଆଲୋଚନା କରି ପିଲାଙ୍କୁ ପ୍ରତ୍ୟକ୍ଷ ଶିକ୍ଷାଦାନ ଦେଇଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ନିଜେ ମଧ୍ୟ ଗୋଟେ ଗୋଟେ ଚିତ୍ର କରିଥିଲେ। ଛୋଟ ବଡ ପିଲାଙ୍କୁ ନେଇ ଦୁଇ ପର୍ଯ୍ୟାୟରେ ପ୍ରଶିକ୍ଷଣ ଅତି ସୁନ୍ଦର ଭାବେ ଆୟୋଜିତ ହୋଇଥିଲା। ଶେଷରେ ପିଲାଙ୍କୁ ଅତିଥି ବରିଷ୍ଠ ପ୍ରଶାସକ ଅଜୟ କୁମାର ନାୟକ ମହୋଦୟ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି ଅବସରରେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଦିଲୀପ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକୀ ସମ୍ପାଦକ ଶ୍ୟାମହରି ଚକ୍ର ପରିଚାଳନା କରିଥିବା ବେଳେ ବରିଷ୍ଠ ଶିଳ୍ପୀ ଅଧ୍ୟାପକ ତରୁଣ କୁମାର ଓଝା ମଞ୍ଚ ପରିଚାଳନା ସହ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଡକ୍ଟର ରୀନା ରାଉତରାୟ, ଧରିତ୍ରୀ ରାଉତ, ଆଦିବାସୀ ଚିତ୍ରଶିଳ୍ପୀ ସୁଗ୍ରୀବ ଜୁଆଙ୍ଗ, ଘନଶ୍ୟାମ ମୁଣ୍ଡା,ଅବସରପ୍ରାପ୍ତ ପ୍ରଶାସକ ପ୍ରବୀର କୁମାର ଦେଓ, ଅଶୋକ ନାୟକ,ପ୍ରଦୋଷ କୁମାର ଦାସ, ବିଶିଷ୍ଟ ଆନିମେଟର ଜ୍ୟୋତିର୍ମୟ ଗଡ଼ନାୟକ, ସମାଜସେବୀ ମାନସିଂହ ଦୁର୍ଗା ପ୍ରସାଦ ନାୟକ ଆଦି ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post