ଝାରସୁଗୁଡ଼ା, ତାରିଖ: ୦୫/୦୪/୨୦୨୬: ଝାରସୁଗୁଡ଼ା ଡିଏଭି ପରିବାର ତରଫରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରଖ୍ୟାତ ଶିକ୍ଷାବିତ ଚିନ୍ମୟ କୁମାର ମହାପାତ୍ରଙ୍କୁ ଏକ ଗମ୍ଭୀର ଏବଂ ଭାବବିହ୍ୱଳ ପରିବେଶରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସ୍ଥାପନା କାଳରୁ ନିରନ୍ତର ଭାବେ ସଂସ୍ଥା ସହ ଅଖଣ୍ଡ ଭାବରେ ଜଡ଼ିତ ଥିବା ଶ୍ରୀ ମହାପାତ୍ରଙ୍କ ଅସାମାନ୍ୟ ଅବଦାନକୁ ସ୍ମରଣ କରାଯାଇଥିଲା ଓ ସଭାରେ ଶ୍ରୀ ମହାପାତ୍ରଙ୍କ ଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଶିକ୍ଷା ପ୍ରତି ନିଷ୍ଠା ଓ ସଂସ୍ଥାର ସମଗ୍ର ଉନ୍ନତି ପାଇଁ ତାଙ୍କର ଅବିରତ ପ୍ରୟାସକୁ ସମସ୍ତେ ଉଚ୍ଚ ସ୍ୱରରେ ପ୍ରଶଂସା କରିବା ସହ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ସଂଗଠନ କ୍ଷମତା ଡିଏଭି ଝାରସୁଗୁଡ଼ାକୁ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରୂପେ ପରିଚିତ କରାଇବାରେ ଏକ ମୁଖ୍ୟ ସ୍ରୋତ ଥିଲା ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ଶ୍ରୀ ମହାପାତ୍ରଙ୍କ ସମ୍ମାନାର୍ଥେ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା। ଶ୍ରୀ ମହାପାତ୍ର ପୂର୍ବରୁ ପୁରୀ ଡିଏଭି, ବ୍ରଜରାଜନଗର ଇବ ଭ୍ୟାଲି ଡିଏଭି ଓ ବ୍ରଜରାଜନଗର ସମଲେଶ୍ବରୀ ଖୋଲା ଖଣି ପ୍ରକଳ୍ପ ଡିଏଭିରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରି ପରିଶେଷରେ କାର୍ଯ୍ୟରୁ ଅବସର ନେଇଛନ୍ତି । ସମ୍ବର୍ଦ୍ଧନା ସଭାରେ ଶ୍ରୀ ମହାପାତ୍ର ଡିଏଭି ପରିବାର ପ୍ରତି ତାଙ୍କର ଗଭୀର କୃତଜ୍ଞତା ଜଣାଇବା ସହ ବିଦ୍ୟାଳୟ ସହିତ ଜଡ଼ିତ ନିଜ ଦୀର୍ଘ ଯାତ୍ରାର ଅନୁଭବମାନଙ୍କୁ ସ୍ମୃତିମୟ ଶୈଳୀରେ ଉପସ୍ଥାପନ କରିଥିଲେ ଏବଂ ଝାରସୁଗୁଡ଼ା ଡିଏଭିର ସ୍ୱର୍ଣ୍ଣିମ ଇତିହାସ ଦୋହାରାଇବା ସହିତ ଡିଏଭି ପରିବାର ପ୍ରତି ତାଙ୍କର ଏହି ସମ୍ପର୍କ ସଦା ସ୍ନେହ, ଶ୍ରଦ୍ଧା ଓ ମୂଲ୍ୟବୋଧର ଏକ ଅବିଚ୍ଛିନ୍ନ ବନ୍ଧନ ଭାବେ ରହିବ ବୋଲି ଭାବବ୍ୟକ୍ତ କରିଥିଲେ ଓ ବିଦ୍ୟାଳୟର ଶୀର୍ଷପ୍ରଗତି କାମନା କରିଥିଲେ । ଅକ୍ଷୟ ପାଣି, ଆଶିଷ ପୂଜାରୀ, ନୀଳିମା ପଟେଲ, ସୁମନ୍ତ ବେହେରା, ବିଜୟ ଦାଶ, ଡ. ମଞ୍ଜୁଶ୍ରୀ ବେଦୁଲା, ମନିଷା ଚାନ୍ଦ, ଅଲେଖ ବିହାରୀ ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀବୃନ୍ଦ ଓ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.