ଶିବ ଧନୁ ଭାଙ୍ଗି ସୀତାଙ୍କ ଠାରୁ ବରଣମାଳା ଗ୍ରହଣ କଲେ ଶ୍ରୀରାମ

0 2

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ୫ମ ସନ୍ଧ୍ୟା ବେଶ।

ଓଡ଼ଗାଁ,୩୧।୩(ଶ୍ରୀକାନ୍ତ କୁମାର ମିଶ୍ର)ମୁନୀ ଆଶ୍ରମ ଯଜ୍ଞ ବେଦୀ ଉପରେ ନିର୍ମିତ ରତ୍ନ ସିଂହାସନ ଉପରେ ବିରାଜିତ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ଆଜି ହେଉଛି ୫ମ ସନ୍ଧ୍ୟା। ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ଗୁରୁ ବିଶ୍ୱାମିତ୍ର,ସହିତ ଦାସଦାସୀ ଏବଂ ଅନ୍ୟାନ୍ୟ ରାଜାମାନଙ୍କ ଉପସ୍ଥିତିରେ ରାଜର୍ଷି ଜନକଙ୍କ ନନ୍ଦିନୀ ଜାନକୀ (ସୀତା)ଙ୍କ ପାଇଁ ଆୟୋଜିତ ସ୍ଵୟମ୍ବର ସଭାରେ ଶ୍ରୀରାମ ସର୍ତ୍ତ ଅନୁସାରେ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରୁଥିବା ଦୃଶ୍ୟକୁ ଦର୍ଶନ କରିବାର ସୈାଭାଗ୍ୟ ଅର୍ଜନ କରିଥିଲେ ଶ୍ରଦ୍ଧାଳୁ।ଘଟଣା କ୍ରମେ ମିଥିଳା ନରେଶ ରାଜର୍ଷି ଜନକ,ରାଜ ନନ୍ଦିନୀ ସୀତାଙ୍କ ବିବାହ ପାଇଁ ସର୍ତ ରଖିଥିଲେ, ସ୍ଵୟମ୍ବର ସଭାରେ ଅଂଶଗ୍ରହଣ କରି ଯେଉଁ ରାଜା ଅଥବା ଯୋଦ୍ଧା ଶିବଧନୁରେ ଟାଣ ଦେଇପାରିବେ, ସୀତା ତାଙ୍କୁହିଁ ବରଣମାଳା ପନ୍ଧାଇବେ। ସର୍ତ ଅନୁସାରେ ସୀତାଙ୍କୁୁ ବିବାହ କରିବା ଉଦ୍ଦେଶ୍ୟରେ ଆୟୋଜିତ ସ୍ୱୟମ୍ବରର ସଭାରେ ଲଙ୍କପତି ରାବଣଙ୍କ ସହିତ ବିଭିନ୍ନ ଦେଶର ବହୁ ଶକ୍ତିଶାଳୀ ରାଜାମାନେ ଅଂଶଗ୍ରହଣ କରିଥିଲେ।ତେବେ ବିଧିର ନିର୍ଦ୍ଦେଶକୁ କିଏବା ବଦଳାଇ ପାରିବ।ପ୍ରବଳ ପ୍ରତାପି ରାଜାଧିରାଜମାନେ ଶିବଧନୁ ଭାଙ୍ଗିବାତ ଦୁରର କଥା,ଉଠାଇବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ। ବିବାହର ସର୍ତ୍ତକୁ ନେଇ ରାଜା ଜନକ ଚିନ୍ତିତ ହୋଇପଡ଼ିଲେ।ସୀତା ଅଭିଆଡ଼ା ରହିଯିବେ ବୋଲି ଭାବି ନିଜକୁ ଅସହାୟ ମଣୁଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅଯୋଧ୍ୟା ନରେଶ ଦଶରଥ ନନ୍ଦନ ରଘୁକୁଳ ତିଳକ ପ୍ରଭୁ ଶ୍ରୀରାମ ଶିବଧନୁଙ୍କୁ ପ୍ରଣାମ ଜଣାଇ ଉଠାଇବା ବେଳେ ଧନୁଟି ଦୁଇଖଣ୍ଡ ହୋଇଯାଇଥିଲା।ଆଶା ଆଶଙ୍କାରେ ଚାହିଁ ରହିଥିବା ରାଜା ମହାରାଜା ମାନେ ନିଜକୁ ଲଜ୍ଜିତ ମନେ କରି ସ୍ଵୟମ୍ବର ସଭାରୁ ଚାଲିଯାଇଥିଲେ। ମିଥିଳା ନରେଶ ଜନକଙ୍କ ଦୃଢ ସଙ୍କଳ୍ପକୁ ସାକାର କରି ପ୍ରଭୁ ରାମଚନ୍ଦ୍ର ସର୍ବ ସମୁଖରେ ତାଙ୍କ ବୀରତ୍ୱର ପରିଚୟ ପ୍ରଦାନ କରିଥିଲେ।ତତ୍ପରେ ସୀତା ବରଣ ମାଳା ପନ୍ଧାଇବାକୁ ଉଦ୍ୟମ କରୁଥିବା ସମୟରେ ପ୍ରଭୁ ଶ୍ରୀରାମ ସ୍ମିତ ହାସ୍ୟରେ ମଥାନତ କରି ବରଣମାଳା ଗ୍ରହଣ କରିଥିଲେ।ଏହା ଥିଲା ସମଗ୍ର ନାରୀ ଜାତି ପାଇଁ ଏକ ସମ୍ମାନର ନିଦର୍ଶନ।ପରମ୍ପରା ଅନୁସାରେ ଆଜିର ସୀତା ବିବାହ ରାତି ୮ ପରେ ପ୍ରଭୁଙ୍କର ବିଜେ ପ୍ରତିମାଙ୍କୁ ବରବେଶରେ ସଜ୍ଜିତ କରିବା ସହିତ ଅନୁଜ ଲକ୍ଷ୍ମଣ, ରାମେଶ୍ୱର ମହାଦେବ ଏବଂ ରାଧାକୃଷ୍ଣଙ୍କ ବିଜେ ପ୍ରତିମାଙ୍କୁ ସ୍ୱତନ୍ତ୍ର ବିମାନରେ ବସାଇ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଆଜିର ସ୍ୱତନ୍ତ୍ର ଆକର୍ଷଣ ଭାବେ ସମ୍ବଲପୁର ଦୁଲଦୁଲି, ଢୋଲ ନୃତ୍ୟ,ଘଣ୍ଟ ବାଦ୍ୟ,ପୁରୀର ନାଗା ମେଢ଼ ନୃତ୍ୟ, ନିଆଁ ବର୍ଣ୍ଣାଳୀ, ଗଞ୍ଜାମ ଜିଲ୍ଲାର ଯୋଡ଼ି ଶଙ୍ଖ, କଳାଘୋଡା, ରାଜାରାଣୀ, ବାଘ ଲଢେଇ, ଷଣ୍ଢ ଲଢେଇ ସହିତ ବିଭିନ୍ନ ବାଦ୍ୟଯନ୍ତ୍ର ଓ ଆତାଶବାଜି ଶୋଭାଯାତ୍ରାରେ ସ୍ଥାନ ପାଇଥିଲା । ନଗର ପରିକ୍ରମା କରି ପ୍ରଭୁ ଝୁଲଣ ମଣ୍ଡପ ଠାରେ ପହଞ୍ଚିଲା ପରେ ବାଟବରଣ କରି ବିବାହ ବେଦିକୁ ନିଆଯାଇ ଥିଲା। ମନ୍ଦିର ପରିଚ୍ଛାଙ୍କ ତରଫରୁ ପୁରୋହିତ ଶିବରାମ ଷଡ଼ଙ୍ଗୀଙ୍କ ଦ୍ୱାରା ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ପାଳିଆ ପଣ୍ଡା, ପୂଜକ ପରିଷଦ ଓ ସୁଆର ସେବକ ପରିଷଦଙ୍କ ସହିତ ଦେବୋତ୍ତର ପରିଚାଳକ ତାପସ କୁମାର ପଟ୍ଟନାୟକ ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର ମିଶ୍ରଙ୍କ ସହଯୋଗରେ ନୀତି ସମ୍ପର୍ଣ୍ଣ ହୋଇଥିବା ବେଳେ ଓଡ଼ଗାଁ ଆଦର୍ଶ ଥାନା ପୋଲିସ ପ୍ରଶାସନ ଦ୍ୱାରା ଆଇନ ଶୃଙ୍ଖଳା ବ୍ୟବସ୍ଥା ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.