ଆଗାମୀ ନିର୍ବାଚନକୁ ଦୃଢ଼ତାର ସହ ଲଢ଼ିବା ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ରଣନୀତି ପ୍ରସ୍ତୁତ

0 2

ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ପାର୍ଟିପଦାଧିକାରୀମାନଙ୍କ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର :ରାଜ୍ୟରେ ହେବାକୁଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ଦଳୀୟ ପଦାଧିକାରୀମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ଜିଲ୍ଲାରୁ ଦଳୀୟ ପଦାଧିକାରୀବୃନ୍ଦ ଯୋଗ ଦେଇ ଆଗାମୀ ନିର୍ବାଚନକୁ ଦୃଢ଼ତାର ସହ ଲଢ଼ିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ବୈଠକରେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ୍ ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଡ଼ିଆନ୍ ଯୋଗଦେଇ ସମସ୍ତ ପଦାଧିକାରୀଙ୍କୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ତୃଣମୂଳ ସ୍ତରରୁ ସଂଗଠନକୁ ବ୍ୟାପକ କରିବା ଏବଂ ଜନସମସ୍ୟା ସହ ଯୋଡ଼ି ହୋଇ ରହିବା ପାଇଁ ପରାମର୍ଶ ଦେଇଥିଲେ।

ପ୍ରଥମ ପର୍ଯ୍ୟାୟରେ ହସ୍ତଗତ ହୋଇଥିବା ପ୍ରାର୍ଥୀ ଏବଂ ନିର୍ବାଚନୀ କ୍ଷେତ୍ର ସମ୍ପର୍କିତ ସମୀକ୍ଷା କରି ପ୍ରଭାରୀ ଶ୍ରୀ କାଡ଼ିଆନ ଜନତାଙ୍କ ଆସ୍ଥା ଭାଜନ ନିମନ୍ତେ ଏବେ ଠାରୁ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସମସ୍ୟାକୁ ପ୍ରତ୍ୟକ୍ଷ ଭାବେ ସମାଧାନ କରିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର କହିଥିଲେ ଯେ ବର୍ତ୍ତମାନର ଭାଜପା ସରକାର ନିର୍ବାଚନ ସମୟରେ ଦେଇଥିବା ଗୋଟିଏ ବି ପ୍ରତିଶୃତି ପାଳନ ନ କରିପାରି ଜନତାଙ୍କ ବିଶ୍ୱାସ ହରାଇ ସାରିଛି । ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ଓ ଶିଶୁଙ୍କ ପ୍ରତି ଅତ୍ୟାଚାର ଏହି ସରକାର ସମୟରେ ଉଗ୍ର ରୂପ ଧାରଣ କରିଛି।
ସାମ୍ପ୍ରତିକ ପରିସ୍ଥିତିରେ ଆମ୍ ଆଦ୍‌ମୀ ପାର୍ଟିକୁ ଜନତାଙ୍କ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ବିକଳ୍ପ ଭାବେ ଗଢି ତୋଳିବାକୁ ରାଜ୍ୟ ସଭାପତି ସମସ୍ତ ପଦାଧିକାରୀଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ସମୀକ୍ଷା ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ, ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍, ଶ୍ରୀ କଲ୍ୟାଣ ଆନନ୍ଦ, ଶ୍ରୀ ଭରତ ଦାସ, ଶ୍ରୀ ଶ୍ରୀକାନ୍ତ ପାଣି, ଶ୍ରୀ ଭବାନୀ ସାହୁ, ଶ୍ରୀ ଜନ୍ମେଞ୍ଜୟ ସ୍ୱାଇଁ, ସାମାଜିକ ଗଣମାଧ୍ୟମ ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା, ରାଜ୍ୟ ଆଇନ ସେଲ ମୁଖ୍ୟ ଶ୍ରୀ ସିଦ୍ଧାର୍ଥ ପରିଡ଼ା ଓ ବିଭିନ୍ନ ଜିଲ୍ଲାର ସଭାପତି, ସମ୍ପାଦକ ଓ ପଦାଧିକାରୀ ବୃନ୍ଦ ଯୋଗ ଦେଇ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତାର ସହ ଲଢ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଥିଲେ।

ସ୍ୱାସ୍ଥ୍ୟ ବିଭାଗର ଅପାରଗତା ଯୋଗୁଁ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡରେ ରୋଗୀ ମୃତ୍ୟୁ ଏବଂ ମଣ୍ଡିରେ ଚାଷୀ ଧାନ ବିକ୍ରି ନ କରିପାରିବା ଏବଂ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ବ୍ୟାପକ ଅଭାବ ପ୍ରସଙ୍ଗରେ ଏକ ପ୍ରସ୍ତାବ ପାରିତ ହୋଇଥିଲା ଯାହାକୁ ନେଇ ଆମ୍ ଆଦ୍‌ମୀ ପାର୍ଟି ଆଗାମୀ ଦିନରେ ଗାଁ ଗଣ୍ଡାରେ ଜନସାଧାରଣଙ୍କୁ ଜାଗ୍ରତ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛି।

Leave A Reply

Your email address will not be published.