ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:: ଉପାନ୍ତ ଅଞ୍ଚଳରେ ବିଭିନ୍ନ ସମୟରେ ଅନେକ ପରବ ପାଳନ ହୋଇଥାଏ, ସେଥିରୁ ଚଇତି ପରବ ଏକ ନିଆରା ଓ ପାରମ୍ପରିକ ପରବ ଭାବେ ପରିଚିତ। ଆଦିବାସୀ ଗ୍ରାମମାନଙ୍କରେ ଏହି ପରବକୁ ବିଶେଷ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଉଛି।
ପରମ୍ପରାନୁସାରେ, ପ୍ରତ୍ୟେକ ଘରର ଲୋକମାନେ ନିଜ ଘରକୁ ରଙ୍ଗରେ ସଜାଇ ସୁନ୍ଦର କରିଥାନ୍ତି ଓ ପରିବାର ସଦସ୍ୟଙ୍କ ପାଇଁ ନୂତନ ବସ୍ତ୍ର କ୍ରୟ କରିଥାନ୍ତି। ପୂଜାର୍ଚ୍ଚନା ପରେ ନୂଆ ଆମ୍ବ ଖାଇବାର ପରମ୍ପରା ଆଜିବି ଅବିଚ୍ଛିନ୍ନ ଭାବେ ଚାଲିଆସୁଛି।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର କୋଇଲି ପାରି ଗ୍ରାମରେ ଏହି ପରବର ଅନୁଷ୍ଠାନ ଏକ ସୁନ୍ଦର ଚିତ୍ର ପ୍ରଦର୍ଶନ କରିଛି। ଗ୍ରାମବାସୀମାନେ ଏକତ୍ରିତ ହୋଇ ଗତକାଲି “ବିହନ ବାଟା” ଅବସରରେ ନୂତନ ଫସଲ ଧାନ, ମୁଗ ଓ ବିରିକୁ ପରମ୍ପରା ଅନୁସାରେ ପୂଜା କରି ଘରକୁ ଆଣିଥିଲେ। ପରେ ଶୁଭ ଦିନ ନିର୍ଦ୍ଧାରଣ କରି ସେହି ଫସଲକୁ ପୂଜା କରି ଚାଷ ଜମିରେ ବୁଣାଯାଇଥାଏ।
ଆଜି ଗ୍ରାମ ଦେବତାଙ୍କ ପାଖରେ ପୂଜାର୍ଚ୍ଚନା ପରେ ସମସ୍ତେ ନୂତନ ଆମ୍ବ ଖାଇ ପରବର ଶୁଭାରମ୍ଭ କରିଥିଲେ। ପରବ ପର୍ବରେ ଗ୍ରାମର ମହିଳା, ପୁରୁଷ ଓ ଯୁବପିଢ଼ି ମା ମାଉଳି ମନ୍ଦିରରେ ଏକତ୍ରିତ ହୋଇ ପାରମ୍ପରିକ ଢେମସା ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ନୃତ୍ୟ ମାଧ୍ୟମରେ ଗ୍ରାମରେ ଭାଇଚାରା, ସମ୍ମିଳନ ଓ ଏକତାର ଅଦ୍ଭୁତ ଚିତ୍ର ଦେଖିବାକୁ ମିଳିଥିଲା।
ପରମ୍ପରା ଅନୁଯାୟୀ, ପରବ ଆରମ୍ଭ ଦିନଠାରୁ ତିନି ଦିନ ପର୍ଯ୍ୟନ୍ତ ଗ୍ରାମରେ କୌଣସି ନୂତନ କାମ ଆରମ୍ଭ କରାଯାଏ ନାହିଁ। ଗ୍ରାମର ପୂଜାରୀ ଓ ପେଦାମାନେ ଏହା ସ୍ପଷ୍ଟ କରିଥିବା ବେଳେ, ଆଧୁନିକ ଯୁଗରେ ମଧ୍ୟ ଏହି ପାରମ୍ପରିକ ଆଚାରକୁ ଗ୍ରାମବାସୀମାନେ ନିଷ୍ଠାର ସହ ଅନୁସରଣ କରୁଥିବା ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.