ବିଜେପୁର :-ଗ୍ରାମାଞ୍ଚଳରେ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ଓ ମଇଳା ପରିଚାଳନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସରକାର ପକ୍ଷରୁ ବ୍ୟାପକ ଯୋଜନା ହାତେ ନିଆଯାଇଛି। ପ୍ରତ୍ୟେକ ପଞ୍ଚାୟତକୁ ମଇଳା ସଂଗ୍ରହ ପାଇଁ ଇଲେକ୍ଟ୍ରିକ ଗାଡି ଯୋଗାଇବା ସହ ଗ୍ରାମର ବିଭିନ୍ନ ସ୍ଥାନରେ ଡଷ୍ଟବିନ ଓ ମଇଳା ପକାଇବା ପାଇଁ ବିଶେଷ ସ୍ଥାନ ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସତ୍ତ୍ୱେ ଗ୍ରାଉଣ୍ଡ ଜିରୋରେ ତାହାର ପ୍ରଭାବ ଅତ୍ୟନ୍ତ ନିରାଶାଜନକ ଦେଖାଯାଉଛି।
ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ପଞ୍ଚାୟତରେ ଏହି ଯୋଜନାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି। ସରକାର ପକ୍ଷରୁ ଇଲେକ୍ଟ୍ରିକ ମଇଳା ସଂଗ୍ରହ ଗାଡି ଯୋଗାଇ ଦିଆଯାଇଥିବା ସତ୍ତ୍ୱେ ମଧ୍ୟ ଗ୍ରାମର ବିଭିନ୍ନ ସ୍ଥାନରେ ମଇଳା ଜମା ହୋଇ ରହିଛି। ରାସ୍ତା , ଖାଲି ଜାଗା ଓ ଗ୍ରାମର କିଛି ମୁଖ୍ୟ ସ୍ଥାନରେ ମଇଳା ଢେର ହୋଇ ରହିଥିବାରୁ ପରିବେଶ ଦୂଷିତ ହେଉଛି। ଅନେକ ସ୍ଥାନରେ ଡଷ୍ଟବିନ ରଖାଯାଇଥିଲେ ମଧ୍ୟ ସେଠାରୁ ସମୟରେ ମଇଳା ଉଠାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାର ଯେତେବେଳେ ଏହି ଯୋଜନା ଆରମ୍ଭ କରିଥିଲେ ସେତେବେଳେ ଲୋକମାନଙ୍କ ମଧ୍ୟରେ ବହୁତ ଆଶା ଜନ୍ମ ନେଇଥିଲା।ପ୍ରତ୍ୟେକ ଘରୁ ମଇଳା ସଂଗ୍ରହ ହେବ ଓ ଗ୍ରାମ ସ୍ୱଚ୍ଛ ରହିବ ବୋଲି ସେମାନେ ଆଶା କରୁଥିଲେ। କିନ୍ତୁ ପ୍ରକୃତରେ ସେହି ବ୍ୟବସ୍ଥା ଠିକ୍ ଭାବେ କାମ କରୁନାହିଁ। ଫଳରେ ଲୋକମାନେ ବାଧ୍ୟ ହୋଇ ଜାଗା ଜାଗାରେ ମଇଳା ପକାଉଛନ୍ତି, ଯାହାର ପରିଣାମରେ ଗ୍ରାମର ସ୍ୱଚ୍ଛତା ଉପରେ ପ୍ରଶ୍ନଚିହ୍ନର ସମ୍ମୁଖୀନ ହୋଇଛି।ସ୍ଥାନୀୟ ବୃଦ୍ଧିଜୀବୀ ମହଳରେ ଏନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେମାନଙ୍କ ମତାନୁସାରେ, ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁବିଧା ଯୋଗାଇଥିବା ସତ୍ତ୍ୱେ ଯଦି ତାହାର ସଠିକ୍ ବ୍ୟବହାର ଓ ନିରୀକ୍ଷଣ ହେଉନାହିଁ, ତେବେ ସେହି ଯୋଜନାର କୌଣସି ଅର୍ଥ ରହିନଥାଏ। କିଛି ବୃଦ୍ଧିଜୀବୀ ମନ୍ତବ୍ୟ କରି କହିଛନ୍ତି ଯେ ବର୍ତ୍ତମାନ ସ୍ଥିତି “ସରକାର କା ମାଲ ଦରିଆ ମେ ଡାଳ” ଭଳି ହୋଇପଡ଼ିଛି।
ମଇଳା ଜମା ହୋଇ ରହିବାରୁ ଦୁର୍ଗନ୍ଧ ପ୍ରସ୍ତୁତ ହେଉଛି ଓ ମାଛି–ମଶା ବଢ଼ିବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ଗ୍ରାମର ଶିଶୁ ଓ ବୃଦ୍ଧମାନେ ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି। ତେଣୁ ଏହି ସମସ୍ୟା ଶୀଘ୍ର ସମାଧାନ ନ ହେଲେ ଗ୍ରାମର ପରିବେଶ ଆଉ ଅଧିକ ଦୂଷିତ ହେବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି।ଏହି ଘଟଣା ପରେ ପ୍ରଶ୍ନ ଉଠୁଛି ଯେ, ସରକାର ଯୋଗାଇଥିବା ଇଲେକ୍ଟ୍ରିକ ମଇଳା ସଂଗ୍ରହ ଗାଡି ବର୍ତ୍ତମାନ କେଉଁଠି ଓ କିପରି ବ୍ୟବହୃତ ହେଉଛି। ଯଦି ଗାଡି ରହିଛି, ତେବେ ନିୟମିତ ଭାବେ ମଇଳା ସଂଗ୍ରହ କାହିଁକି ହେଉନାହିଁ ବୋଲି ସାଧାରଣ ଲୋକମାନେ ପ୍ରଶ୍ନ କରୁଛନ୍ତି।
ଏବେ ଦେଖିବାକୁ ବାକି ରହିଲା ଯେ, ଏହି ଅବ୍ୟବସ୍ଥା ପ୍ରତି ପଞ୍ଚାୟତ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ କେତେ ଗୁରୁତ୍ୱ ଦେଉଛନ୍ତି ଓ କେବେ ପଦକ୍ଷେପ ନେଇ ତାଳପଦର ପଞ୍ଚାୟତରେ ସ୍ୱଚ୍ଛତା ବ୍ୟବସ୍ଥାକୁ ସୁଦୃଢ଼ କରିବେ। ଏହାକୁ ନେଇ ସାଧାରଣ ଲୋକଙ୍କ ଦୃଷ୍ଟି ବର୍ତ୍ତମାନ ପ୍ରଶାସନ ଉପରେ ରହିଛି।
Sign in
Sign in
Recover your password.
A password will be e-mailed to you.