ସୋହେଲା ପଂଚାୟତ ସମିତି ବୈଠକ,ପାନୀୟ ଜଳ ଉପରେ ଗୁରୁତ୍ୱ 

0

ସୋହେଲା / (ଶାସକପ୍ରଶାସକ)-ସୋହେଲା ବ୍ଲକ ଅଫିସ ସଭାଗୃହରେ ପଂଚାୟତ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ମରେ ବିଡିଓ ଅଶୋକ କୁମାର ଗଡତିଆ ସମସ୍ତଙ୍କୁ ସ୍ୱାଗତ କରି ସଭାର ସଂଯୋଜନା କରିଥିଲେ । ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଜିପିଓ ଏମଡି ଆକବର । ଏହି ବୈଠକରେ ମୁଖ୍ୟତଃ ପାନୀୟ ଜଳ ଉପରେ ବେଶି ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା । ଗରମ ଅନୁଭୂତ ହେଲାଣି । ଚଳିତ ବର୍ଷ ଭୀଷଣ ଗରମ ପଡିବାର ସମ୍ଭାବନା ରହିଛି ତେଣୁ ସମସ୍ତେ ସତର୍କ ହେବା ପାଇଁ ବିଡିଓ ଶ୍ରୀ ଗଡତିଆ ସମସ୍ତ କର୍ମଚାରୀ ତଥା ଜନପ୍ରତିନିଧିମାନଙ୍କୁ ସଚେତନ କରିଥିଲେ । ହଲଦିପାଲି,ଡୁମେରପାଲି,ସୋହେଲା,କନାପାଲି,କେନ୍ଦମୁଣ୍ଡି,ବେହେରାପାଲି ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ଆଲୋଚନା ହୋଇଥିଲା । ସୋହେଲା ବସ୍ତିରେ ପୁରୁଣା ପାଇପ ଲାଇନ ଫାଟି ଯାଇଥିବା ଏବଂ ଏନେଇ ସର୍ଭେ ହୋଇଥିଲେ ମଧ୍ୟ ନୂତନ ପାଇପ ବସା ଯାଇ ନଥିବା ସୋହେଲା ସରପଂଚ ଜୀତେନ ଭୋଇ ସଭାରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏପରିକି ପଦ୍ମପୁର ରୋଡରେ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ହେବା ପରେ ସେଠାରେ ଗୋଟିଏ ମାତ୍ର ଷ୍ଟାଣ୍ଡ ପୋଷ୍ଟ ରହିଛି । ରାସ୍ତା ନିର୍ମାଣ ବେଳେ ବାକିଗୁଡିକ ନଷ୍ଟ ହୋଇ ଯାଇଛି । ତେଣୁ ସେହି ରୋଡରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରିବା ପାଇଁ ସରପଂଚ ଭୋଇ ଦାବି କରିଥିଲେ । ଦିନକୁ ଦିନ ଗ୍ରାମାଚଂଳରେ ଜଳସ୍ତର ନିମ୍ନଗାମୀ ହେଉଥିବାରୁ ଉକ୍ତ ନଳକୂପମାନଙ୍କରେ ପାଇପ ବଢ଼ା ଯିବାକୁ ସଭାରେ ଦାବି ଉପସ୍ଥାପନା କରାଯାଇଥିଲା । ତେଣୁ ଏଦିଗରେ ପଦକ୍ଷେପ ନେବାକୁ ଜନପ୍ରତିନିଧିମାନେ ବିଭାଗୀୟ ଅଧିକାରୀଙ୍କୁ ସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ । କୌଣସି  ଗ୍ରାମରେ ଜଳସଂକଟ ଦେଖାଦେଲେ ତୁରନ୍ତ ଯୋଗାଯୋଗ କରିବାକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ କୁମାର ବେହେରା ସମସ୍ତ ଜନପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସମୀର କୁମାର ପଣ୍ଡା,ଆଇସିଡିଏସର ସିଡିପିଓ ଶ୍ରୀମତୀ ରାଶେଶ୍ୱରୀ ସାହୁ,ଡବ୍ଲୁଇଓ ଅତୀଶ କୁମାର ଭୋଇ,ପ୍ରାଣୀ ଚିକିତ୍ସିକ ଡାକ୍ତର ସଂଜୀବ ମହାନନ୍ଦ,ଆରଡବ୍ଲୁଏସଏସର ଜେଇ ତୁଷାରକାନ୍ତି ନାଏକ,କୃଷି ବିଭାଗର ସହକାରୀ କୃଷି ଅଧିକାରୀ ଅନ୍ୱେଷା ଦଳବେହେରା,ବନ ବିଭାଗର ଫରେଷ୍ଟର ରମାକାନ୍ତ ସାହୁ,ଆରଡବ୍ଲୁଏସଏସର ଜେଇ ସୁରେନ୍ଦ୍ର କୁମାର ବେହେରା,ମତ୍ସ୍ୟ ବିଭାଗର କିରନ ଦାଶ,ୱେସକୋର ଏସଡିଓ ଆଦିକନ୍ଦ ଦାଶ ତଥା ଉଦ୍ୟାନ କୃଷି ବିଭାଗର ଅଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ବିଭାଗରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଅତିଥିଭାବରେ ଯୋଗ ଦେଇଥିଲେ ଯୁବ ବିଜେଡି ନେତା ସୁବ୍ରତ ସିଂହ । ମଂଚାସୀନ ଥିଲେ ଜିଲା ପରିଷଦ ସଦସ୍ୟ ସୁବ୍ରତ ବେହେରା ଓ ଦୟାନିଧି ପଟେଲ,ସାଂସଦ ପ୍ରତିନିଧି ଅମୃତ ପଧାନ ଓ ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲ । ଶେଷରେ ଧନ୍ୟବାଦ ଦେଇଥିଲେ ଜିପିଓ ଏମଡି ଆକବର ।  

 

Leave A Reply

Your email address will not be published.