ଓଡ଼ଗାଁ,୨୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶରଣକୁଳରେ ଗତ ୧୩।୨।୨୬ ତାରିଖରୁ ପ୍ରଶାସନିକ ଅସ୍ପଷ୍ଟତା ଯୋଗୁଁ ଚିକିତ୍ସା ସେବାକୁ ନେଇ ଅସନ୍ତୋଷ ପରିସ୍ଥିତି ଦେଖାଦେଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ପଦବୀକୁ ନେଇ ଉଦ୍ଭବିତ ବିବାଦ ଏହାର ମୂଳ କାରଣ ବୋଲି ସ୍ଥାନୀୟ ମଣିଷମାନେ କହିଛନ୍ତି।
ସୂଚନାନୁସାରେ, ଡା. ତାପସ ରଞ୍ଜନ ସେନାପତି ଗତ ତିନି ବର୍ଷ ଧରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ କାର୍ଯ୍ୟରତ ରହି ସୁଚାରୁ ଭାବରେ ଦାୟିତ୍ୱ ପାଳନ କରୁଥିଲେ ଓ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଆସୁଥିଲେ। କିନ୍ତୁ ହଠାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶରେ ମଗରବନ୍ଧ ଡାକ୍ତରଖାନାର ଡା. ଇପ୍ସିତା ଦାସଙ୍କୁ ଡେପୁଟେସନରେ ଆଣି ଡା. ସେନାପତିଙ୍କ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ଆଦେଶ ଜାରି ହୋଇଥିବା ଜଣାପଡ଼ିଛି। ଏହା ପରେ ଡା. ସେନାପତି ଲମ୍ବା ଛୁଟିରେ ଯାଇଥିବା ସୂଚନା ମିଳିଛି। ଡା. ଇପ୍ସିତା ଦାସ ଜୁନିଅର ଥିବା ସତ୍ତ୍ୱେ ତାଙ୍କୁ କିପରି ଏହି ପଦବୀରେ ନିଯୁକ୍ତ କରାଗଲା ନେଇ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ସମ୍ବନ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ୧୯ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚାରିଜଣଙ୍କୁ ନିଯୁକ୍ତ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀରେ ବୁଦ୍ଧିଜୀବୀମାନେ ଜିଲ୍ଲା ଚିକିତ୍ସାଧିକାରୀ ଡା. ପୁଷ୍ପ ନିଳିମା ଲାକ୍ରାଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ସେ ଶୀଘ୍ର ସମାଧାନର ଆଶ୍ୱାସନ ଦେଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ ହୋଇନଥିବା ଅଭିଯୋଗ ହେଉଛି। ଏହାରେ ବିଳମ୍ବ ହେବା ଯୋଗୁଁ କିଛି ରାଜନୈତିକ ପ୍ରରୋଚନାରେ ଡା. ସେନାପତିଙ୍କ ନାମରେ ଭିତ୍ତିହୀନ ଅଭିଯୋଗ ଆଣି ପରିସ୍ଥିତିକୁ ଜଟିଳ କରାଯାଉଥିବା ମଧ୍ୟ ସ୍ଥାନୀୟମାନେ କହିଛନ୍ତି। ତେଣୁ ଯଥାଶୀଘ୍ର ଡା. ଇପ୍ସିତା ଦାସଙ୍କ ନିଯୁକ୍ତି ଆଦେଶ ରଦ୍ଦ କରି ଡା. ତାପସ ରଞ୍ଜନ ସେନାପତିଙ୍କୁ ପୁନଃ ଦାୟିତ୍ୱରେ ଥଇଥାନ କରାଯିବାକୁ ଦାବି କରି ଶରଣକୁଳ ବିକାଶ ମଞ୍ଚ ପକ୍ଷରୁ ଆସନ୍ତା ମାର୍ଚ୍ଚ ୫ ତାରିଖରେ ୧୨ ଘଣ୍ଟିଆ ଧର୍ମଘଟ (ହରତାଳ) ଡାକରା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଶୀଘ୍ର ପ୍ରଶାସନିକ ସମାଧାନ ହେବ ବୋଲି ସାଧାରଣ ଲୋକମାନେ ଆଶା ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.