ନବବିବାହିତାଙ୍କୁ ଯୌତୁକ ପାଇଁ ହତ୍ୟା ଅଭିଯୋଗ: ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ଭାଇ ;ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ବିରୋଧରେ ମାମଲା ରୁଜୁ ।

0 2

ବେଲଗୁଣ୍ଠା–(ଶିବରାମ ଚୌଧୁରୀ )-: ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠ ପଲବାଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅନ୍ତଃସତ୍ତ୍ୱା ନବବିବାହିତାଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ନବବିବାହିତା ଜଣକ ହେଉଛନ୍ତି ସୋରଡା ଥାନା ଭଗବାନପୁର ଗ୍ରାମର ସ୍ୱର୍ଗତ ଚିନ୍ତାମଣି ଗୌଡ଼ଙ୍କ ଝିଅ ରଶ୍ମିତା ଗୌଡ଼ (୨୪) ।ଅଭିଯୋଗ ଅନୁଯାୟୀ, ଗତ ୨୫ ଏପ୍ରିଲ ୨୦୨୫ ରିଖରେ ବୈଦିକ ରୀତିନୀତି ଅନୁଯାୟୀ ରଶ୍ମିତାଙ୍କ ବିବାହ ଗାଙ୍ଗପୁର ଥାନା ଗୁଣ୍ଠପଲବା ଗ୍ରାମର ପୁନିଆ ଗୌଡ଼ଙ୍କ ପୁଅ ଜିତେନ୍ଦ୍ର ଗୌଡ଼ଙ୍କ ସହ ହୋଇଥିଲା।ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ଶ୍ୱଶୁରଘର ପକ୍ଷରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।
ଆଜି ସକାଳ ପ୍ରାୟ ୯ଟା ସମୟରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ, ତାଙ୍କୁ ତାଙ୍କ ସ୍ୱାମୀ ଜିତେନ୍ଦ୍ର ଗୌଡ଼, ଶ୍ୱଶୁର ପୁନିଆ ଗୌଡ଼ ଏବଂ ଶାଶୁ ସୁଷମା ଗୌଡ଼ ମିଶି ତଣ୍ଟି ଚିପି ହତ୍ୟା କରିଥିବା ନେଇ ରଶ୍ମିତାଙ୍କ ଭାଇ ଶିବାନନ୍ଦ ଗୌଡ଼ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ରଶ୍ମିତା ତିନି ମାସ ଅନ୍ତଃସତ୍ତ୍ୱା ଥିବା ମଧ୍ୟ ଭାଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।ଏହି ଅଭିଯୋଗକୁ ଭିତ୍ତି କରି ଗାଙ୍ଗପୁର ଥାନାରେ ୮୬/୨୫ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୮୫, ୮୦(୨), ୧୦୩(୧) ଓ ୩(୫) ଅନୁସାରେ ପୋଲିସ ତଦନ୍ତ କରୁଥିବା ନେଇ ଥାନାଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି । କିନ୍ତୁ ଅନ୍ୟପଟେ ରଶ୍ମିତାଙ୍କ ଶାଶୁଘର ଲୋକ କହିବା ପ୍ରକାରେ କୌଣସି କାରଣକୁ ନେଇ ରଶ୍ମିତା ଏବଂ ସ୍ୱାମୀ ଜିତେନ୍ଦ୍ରଙ୍କ ମଧ୍ୟରେ ଝଗଡ଼ା ସୂତ୍ରପାତ ହୋଇଥିଲା I ଏହି ଝଗଡ଼ା ଯୋଗୁଁ ରଶ୍ମିତା ଆତ୍ମହତ୍ୟା କରିଥିବା ନେଇ ଶାଶୁଘର ପରିବାର ତରଫରୁ କୁହାଯାଇଛି I ଏନେଇ ପୋଲିସ୍ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି I ରଶ୍ମିତାର ଶବକୁ ପୋଲିସ ଵେବଛେଦ ପାଇଁ ଭଞ୍ଜନଗର ପଠାଇଛି l

Leave A Reply

Your email address will not be published.