ଟ୍ୱିଟ୍ ପରେ ମିଳିଲା ବିଦ୍ୟୁତ୍ ସେବା : ଏମ୍.ଭି-୭୯ ନୂଆଗୁଡାରେ ଟ୍ରାନ୍ସଫର୍ମର ବଦଳାଇଲା ଟାଟା ପାୱାର

0

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଏମ୍.ଭି-୭୯ ଗ୍ରାମକୁ ଲାଗିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡିଯାଇ ୩ ଦିନ ଧରି ଅନ୍ଧାରରେ ରହୁଥିବା ଗ୍ରାମବାସୀଙ୍କ ସମସ୍ୟା ଶେଷରେ ସମାଧାନ ହୋଇଛି। ସମ୍ବନ୍ଧିତ ଘଟଣାକୁ ସୋସିଆଲ ମିଡିଆରେ ଉଠାଇ ଧରାଯିବା ପରେ ବିଦ୍ୟୁତ୍ ସେବା ପ୍ରଦାନକାରୀ ସଂସ୍ଥା ତୁରନ୍ତ ପଦକ୍ଷେପ ନେଇ ନୂତନ ୧୬ କେଭିଏ ଡିଟିଆର୍ ସ୍ଥାପନ କରି ବିଦ୍ୟୁତ୍ ସରବରାହ ପୁନଃରୁଦ୍ଧାର କରିଛି।
ଗତ ଗୁରୁବାର ଦିନ ସଟ୍ ସର୍କିଟ୍ ଯୋଗୁଁ ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ପ୍ରାୟ ୪୦ରୁ ଅଧିକ ପରିବାର ଓ ଦୁଇଶହରୁ ଅଧିକ ଲୋକ ଅନ୍ଧାରରେ ରହିଥିଲେ। ପରୀକ୍ଷା ସମୟ ହେବାରୁ ପିଲାମାନେ ମହମବତୀ ଆଲୋକରେ ପାଠ ପଢୁଥିବା ବେଳେ ଜଳଯୋଗାଣ ବ୍ୟବସ୍ଥା ଓ ମୋବାଇଲ ଚାର୍ଜିଂ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏଥିନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା |  ଏନେଇ ଗ୍ରାମବାସୀଙ୍କ ଅସନ୍ତୋଷ ବଢିବା ପରେ ସୋସିଆଲ ମିଡିଆ ମାଧ୍ୟମରେ ଅଭିଯୋଗ ଉଠାଇ ଧରାଯାଇଥିଲା।
ଶାସକ ପ୍ରଶାସକରେ ପ୍ରକାଶିତ ଏ ସମ୍ପର୍କିତ ଖବର ଉପରେ ସାମ୍ବାଦିକ ଗିରିଜା ଶଙ୍କର ଦାଶ ଏକ ଟ୍ୱିଟ କରି ଟିପିଏସଓଡ଼ିଏଲ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଟ୍ରାନ୍ସଫର୍ମର ଲଗାଇ ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ଅନୁରୋଧ କରିଥିଲେ | ଟ୍ୱିଟ୍ ପୋଷ୍ଟ ହେବା ପରେ ସଂସ୍ଥା ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ଆସିଥିଲା ଏବଂ କ୍ଷେତ୍ରୀୟ ଦଳକୁ ପଠାଇ ଆବଶ୍ୟକ ମରାମତି କାମ ଆରମ୍ଭ କରାଯାଇଥିଲା। ସୋସିଆଲ ମିଡିଆରେ ମରାମତି କାର୍ଯ୍ୟର ଫଟୋ ସହ ସଂସ୍ଥା ପକ୍ଷରୁ ଜଣାଇଥିଲେ ଯେ, ନୂଆଗୁଡା ଗ୍ରାମରେ ନୂତନ ଡିଟିଆର୍ ସ୍ଥାପନ ସମ୍ପନ୍ନ ହୋଇଛି ଓ ବିଦ୍ୟୁତ୍ ସରବରାହ ସାଧାରଣ ହୋଇଯାଇଛି। ତ୍ୱରାନ୍ୱିତ ସେବା ଯୋଗାଇଦେଇଥିବା ଯୋଗୁ ଟିପିଏସଓଡ଼ିଏଲ କର୍ତ୍ତୃପକ୍ଷଙ୍କୁ ସାମ୍ବାଦିକ ଶ୍ରୀ ଦାଶ ଧନ୍ୟବାଦ ଜଣାଇଛନ୍ତି |
ବିଦ୍ୟୁତ୍ ସେବା ପୁନରୁଦ୍ଧାର ହେବାରୁ ଗ୍ରାମବାସୀ ଆଶ୍ବସ୍ତି ପ୍ରକାଶ କରିଥିବା ବେଳେ, ଭବିଷ୍ୟତରେ ଏଭଳି ସମସ୍ୟା ହେଲେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସୋସିଆଲ ମିଡିଆର ସଠିକ୍ ବ୍ୟବହାର ଦ୍ୱାରା ଗ୍ରାମୀଣ ସମସ୍ୟାର ଶୀଘ୍ର ସମାଧାନ ସମ୍ଭବ ବୋଲି ଏହି ଘଟଣା ପୁନର୍ବାର ପ୍ରମାଣ କରିଛି।

Leave A Reply

Your email address will not be published.