ଡାକ୍ତରଙ୍କ ଅବହେଳା ଯୋଗୁ ସାମ୍ବାଦିକଙ୍କ ଦେହାନ୍ତ, ପାଲଟା ସାମ୍ବାଦିକଙ୍କ ଝିଅଙ୍କ ନାରେ ଡାକ୍ତରଙ୍କ ମାମଲା ରାଜ୍ୟ By SPNEWS On Dec 25, 2017 0 Share ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଏବଂ ଦୁର୍ବ୍ୟବହାର ପ୍ରଦର୍ଶନକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ବଲାଙ୍ଗିରରୁ ନିରୋଜ କୁମାର ମିଶ୍ର : ଡାକ୍ତରଙ୍କ ଚିକତ୍ସାରେ ଅବହେଳା ଏବଂ ଦୁର୍ବ୍ୟବହାର ପ୍ରଦର୍ଶନକୁ ବିରୋଧ କରି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିବା ବେଳେ ଏହାର ଏକକୀତା ନକଲ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ବିରୋଧୀ ଦଳ ନେତା, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ବଲାଙ୍ଗିର ମେଡ଼ିକାଲ କଲେଜ ଡ଼ିନ୍, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ସିଡ଼ିଏମ୍ଓ ଏବଂ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ରୋଗୀସେବା ପ୍ରହସନ ପାଲଟିଛି । ସାଧାରଣ ରୋଗୀଙ୍କ ପ୍ରତି କିଛି ଡାକ୍ତର ଯେଭଳି ଚିକିତ୍ସା ଅବହେଳା ଓ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ତାହା ସାଧାରଣ ଲୋକଙ୍କୁ ବ୍ୟସ୍ତ ବିବ୍ରତ କରି ପକାଉଛି । ଗତ ତା୨୨/୧୨/୨୦୧୭ରିଖ ରାତି ୧୦ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବଲାଙ୍ଗିରର ରାମେଶ୍ୱରନଗର ନିବାସୀ ବିଶିଷ୍ଟ ଫଟୋ ସାମ୍ବାଦିକ ତଥା ସମାଜକର୍ମୀ ବାଳକୃଷ୍ଣ ହୋତା ବଲାଙ୍ଗିର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥିଲେ । ବିଶେଷ ଅସୁସ୍ଥତା ସତ୍ତ୍ୱେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାନଯାଇ ପ୍ରାରମ୍ଭିକ ଚିକିତ୍ସା କରାଯାଇ ଫେରାଇ ଦିଆଯାଇଥିଲା । ରାତି ପ୍ରାୟ ୨ଟା ସମୟରେ ଶ୍ରୀ ହୋତା ପୁଣି ଛାତି ଯନ୍ତ୍ରଣା ଯୋଗୁଁ ଅସହ୍ୟ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ପରିବାର ଲୋକେ ପୁଣି ତାଙ୍କୁ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ରାତି ୨ଟାରୁ ସକାଳ ସାଢେ଼ ୯ଟା ପର୍ଯ୍ୟନ୍ତ ପରିବାର ଲୋକେ ତାଙ୍କ ଚିକିତ୍ସା ପାଇଁ ହାରି ଗୁହାରୀ କରିଥିଲେ ମଧ୍ୟ ତାଙ୍କର ଚିକିତ୍ସା କରା ଯାଇନଥିଲା । ୯ଟା ୪୫ରେ ଆସିଷ୍ଟାଣ୍ଟ୍ ପ୍ରଫେସର୍ ପ୍ରିୟରଂଜନ ବାରିକ ଶ୍ରୀ ହୋତାଙ୍କ ବେଡ଼୍ ପାଖକୁ ଯାଇ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘ ୭ ଘଣ୍ଟା ଧରି ହସ୍ପିଟାଲ୍ ବେଡ଼ରେ ଅସହ୍ୟ ଛାତି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ ନଥିଲା । ମୃତ ଘୋଷଣା କରିବା ବେଳେ ଡାକ୍ତରଙ୍କୁ ଶୋକରେ ଅଧୀର ହୋଇ ଶ୍ରୀ ହୋତାଙ୍କ କନ୍ୟା ସୁଶ୍ରୀ ବୈଷ୍ଣବୀ ହୋତା ଡାକ୍ତରଙ୍କ ଅବହେଳାରୁ ତାଙ୍କ ବାପାଙ୍କ ଅକାଳ ବିୟୋଗ ହୋଇଥିବା କହିଥିଲେ । ଏତିକି ମାତ୍ର କହିବାରୁ ଡାକ୍ତର ଜଣକ ସୁଶ୍ରୀ ହୋତାଙ୍କୁ ଚରମ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ଡାକ୍ତର ଜଣକ ସୁଶ୍ରୀ ହୋତାଙ୍କ ବିରୁଦ୍ଧରେ ଟାଉନ୍ ଥାନାରେ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ । ଦୁଇ ଜଣ ବରିଷ୍ଠ ସ୍ଥାନୀୟ ଡାକ୍ତର ଗିରିଜା ଶଙ୍କର ଉଦ୍ଗାତା ଏବଂ ବଳରାମ ପାଣିଗ୍ରାହୀଙ୍କ କୁପ୍ରରୋଚନାରେ ଏଭଳି ଏକ ଶୋକାକୁଳ ଅବସ୍ଥାରେ ସ୍ୱର୍ଗତ୍ ହୋତାଙ୍କ ଝିଅ ବିରୁଦ୍ଧରେ ଅମାନବୀୟ ଭାବେ ଟାଉନ୍ ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା । ଏହି ଘଟଣାକୁ ବିରୋଧ କରି ବଲାଙ୍ଗିରର ଶତାଧିକ ମହିଳା ଓ ପୁରୁଷ ୨୩ ତାରିଖ ଦିନ ସଂଧ୍ୟାରେ ଟାଉନ୍ ଥାନା ଘେରାଓ କରି ସୁଶ୍ରୀ ହୋତାଙ୍କ ବିରୁଦ୍ଧରେ ଦାୟର୍ ହୋଇଥିବା ମାମଲା ପ୍ରତ୍ୟାହାର କରାଯିବା ସହ ଡାକ୍ତରଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବା ପାଇଁ ଦାବୀ କରିଥିଲେ । ତେବେ ବଲାଙ୍ଗିର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ପ୍ରତ୍ୟହ୍ୟ ଏଭଳି ଅନେକ ରୋଗୀ ଏବଂ ରୋଗୀଙ୍କ ପରିବାରବର୍ଗ ଦୀର୍ଘ ଦିନରୁ ଆଡ଼୍ଡ଼ା ବାନ୍ଧି ରହିଥିବା ସ୍ଥାନୀୟ ମୃଷ୍ଟିମେୟ ଡାକ୍ତରମାନଙ୍କ ଦ୍ୱାରା ଦୁର୍ବ୍ୟବହାରର ସମ୍ମୁଖୀନ ହେଉଥିବା ଅନେକ ଉଦାହରଣ ରହିଛି । ଏଣୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବିଶେଷ ଅନୁରୋଧ କରାଯାଉଛି ଯେ, ନିରୀହ ଶୋକାର୍ତ୍ତ ସୁଶ୍ରୀ ହୋତାଙ୍କ ବିରୁଦ୍ଧରେ ମାମଲା ଦାୟର୍ କରିଥିବା ଡାକ୍ତର ଏବଂ ଏଠାରେ ଦୀର୍ଘ ଦିନରୁ ଆଡ଼୍ଡ଼ା ବାନ୍ଧି ରହିଥିବା ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଯଥୋଚିତ ପଦକ୍ଷେପ ନିଆଯିବା ସହ ଉପରୋକ୍ତ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ । ଦାବୀପତ୍ର ପ୍ରଦାନ ବେଳେ ସଭାପତି ହରିନାରାୟଣ ପୂଜାରୀ, ସଂପାଦକ ଶିଶିରକାନ୍ତ ଶତପଥୀ, ଏନ୍ୟୁଜେ ଉପସଭାପତି ଶଙ୍କର ପ୍ରସାଦ ମିଶ୍ର, ନବୀନ ପଶାୟତ, ବୀରେନ୍ଦ୍ର ଝାଙ୍କର, ବିଶ୍ୱଜିତ୍ ଦାଶ, ଆନଂଦ ଚଂଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମନୋରାଂଜନ ଯୋଷୀ, ସୁନୀଲ ମହାନ୍ତି, ପ୍ରଦୀପ୍ତ ମିଶ୍ର, ନୂତନ କୁମାର ମିଶ୍ର, ସୁବ୍ରତ ନାଏକ, ଚିତ୍ତରଂଜନ ସାହୁ, ଗୋପାଳ ପ୍ରଧାନ, ସଚ୍ଚିଦାନନ୍ଦ ବଗର୍ତ୍ତି, ଶୁସାନ୍ତ କୁମାର ଠାକୁର, ମହେନ୍ଦ୍ର ପ୍ରଧାନ ଆଦି ସାମ୍ବାଦିକ ସାମିଲ୍ ଥିଲେ 0 Share FacebookTwitterGoogle+ReddItWhatsAppPinterestEmail