ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ :: ଧାନ ଉଠାଣ ନ ହେବାକୁ ନେଇ ଅସନ୍ତୁଷ୍ଟ ଚାଷୀମାନେ ଆଜି କାଲିମେଳା ବ୍ଲକ ମହାରାଜ ପାଳି ପଂଚାୟତ ଏମ୍ ପି ଭି -୮୧ ଅଞ୍ଚଳରେ ରାସ୍ତା ରୋକ ଆନ୍ଦୋଳନ କରିଛନ୍ତି। ମଣ୍ଡିରେ ଧାନ କ୍ରୟ ଟାର୍ଗେଟ ପୂରଣ ହୋଇଥିବା ଦେଖାଇ ଧାନ ଉଠାଣ ବନ୍ଦ କରାଯାଇଥିବାରୁ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଆନ୍ଦୋଳନକାରୀ ଚାଷୀମାନେ କାଲିମେଳା ବ୍ଲକ ଏମ୍ ପି ଭି -୮୧ ମୁଖ୍ୟ ରାସ୍ତାରେ ଅବରୋଧ ସୃଷ୍ଟି କରି ଏନଏଚ୍-୩୨୬ ଜାତୀୟ ରାଜପଥକୁ ବନ୍ଦ କରିଦେଇଥିଲେ। ଫଳରେ ଉଭୟ ପଟେ ଯାନବାହନ ଚଳାଚଳ ଠପ୍ ପଡ଼ି ଚକବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜରୁରୀ ସେବା ସମ୍ବନ୍ଧୀୟ ଯାନବାହନକୁ ଛାଡ଼ି ଅନ୍ୟ ସବୁ ଗାଡ଼ିକୁ ଯାଇବାକୁ ଦିଆଯାଉନଥିବା ଦେଖାଯାଇଥିଲା।
ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ମଣ୍ଡି ବନ୍ଦ ହେବାରୁ ତାଙ୍କର ବିକ୍ରୟ ପାଇଁ ରଖାଯାଇଥିବା ଧାନ ଉଠାଣ ଅନିଶ୍ଚିତ ହୋଇପଡ଼ିଛି, ଯାହାରୁ ସେମାନେ ଆର୍ଥିକ ସମସ୍ୟାରେ ପଡ଼ୁଛନ୍ତି। ଶୀଘ୍ର ଧାନ କ୍ରୟ ପୁନର୍ଆରମ୍ଭ କରିବାକୁ ସେମାନେ ଦାବି କରିଛନ୍ତି।ଘଟଣା ସ୍ଥଳରେ ମୋଟୁ ପୋଲିସ ପହଂଚି ବୁଝା ସୁଜା କରୁଛନ୍ତି।