ଦୀର୍ଘ ଦିନର ଗଞ୍ଜେଇ ଚାଷକୁ ଛାଡି ଫଳ ଚାଷ ପ୍ରତି ଆକୃଷ୍ଟ ହେଲେ ଚାଷୀ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅଧିନସ୍ଥ ବୁଡୁବାଲି ଗ୍ରାମ ପଞ୍ଚାୟତର ଗାର୍ଡେନଭଟା ଗ୍ରାମ୍ୟ ଜଙ୍ଗଲରେ ପ୍ରଚୁରମାତ୍ରାରେ ଗଞ୍ଜେଇ ଚାଷ ହେଉଥିବା ଜିଲ୍ଲା ପ୍ରଶାସନ ଜାଣିବା ପରେ ସେହି ଚାଷୀ ମାନଙ୍କୁ ସଚେତନ କରିବା ସହ ଫଳ ଚାଷ, ପରିବା ଚାଷ, ଫୁଲ ଚାଷ, ଓ ବିଭିନ୍ନ ଅର୍ଥ ଆଦାୟକାରୀ ଫସଲ ଚାଷ କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଚାଷୀ ମାନଙ୍କ ଜୀବନ ଜୀବିକା ପାଇଁ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ (VVGRAM), (OLM)ଓଏଲଏମ୍ ଆଦି ବିଭାଗ ଦ୍ୱାରା ଆମ୍ବ, ପଣସ, ପିଜୁଳି, ଅଁଳା, ବିଭିନ୍ନ ପ୍ରଜାତି ଫୁଲ, ମୁଗ, ବିରି ଆଦି ଅର୍ଥ ଆଦାୟକାରୀ ଚାରା ଓ ବିହନ ଯୋଗାଇ ଦେବା ସହ ଚାଷ ବିଷୟରେ ପ୍ରାଞ୍ଜଳ ଭାବେ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପ୍ ଯୋଗଦେଇ ସମସ୍ତ ଚାଷୀଙ୍କୁ ଗଞ୍ଜେଇ ଚାଷ ଠାରୁ ଦୂରରେ ରହି ଫଳ, ଫୁଲ, ଅର୍ଥ ଆଦାୟକାରୀ ଚାଷ କରିବା ନିମନ୍ତେ ଅହ୍ବାନ ଦେଇଥିଲେ । ଗଞ୍ଜେଇ ଚାଷ କ୍ରିବା ଦ୍ୱାରା ନିଜେ ଓ ନିଜ ପରିବାର ସହ ମାନବ ଜାତିର ଅନିଷ୍ଟ ହେବା ଓ ଧିରେ ଧିରେ ସମାଜ କଳୁଷିତ ହେଉଥିବା ଉପ ଜିଲ୍ଲାପାଳ କହିଥିଲେ । ଫଳ ଚାଷ, ପରିବା ଚାଷ ଓ ବିଭିନ୍ନ କିସମର ଅର୍ଥ ଆଦାୟକାରୀ ଚାଷକୁ ଆପଣେଇ ନେଇଥିବାରୁ ଅଞ୍ଚଳ ବାସୀଙ୍କୁ ଉପଜିଲ୍ଲାପାଳ ସାଧୁବାଦ ଅର୍ପଣ କରିଥିଲେ । ଆଗକୁ ଯେମିତି ଆଉ ଗଞ୍ଜେଇ ଚାଷ କରିବେ ନାହି ସେଥିପ୍ରତି ସଚେତନ ହେବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ, ପୋଲିସ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଓଏଲଏଲ୍ ବିଭାଗର କର୍ମଚାରୀ ଉପସ୍ଥିତ ରହି ନିଶା ମୁକ୍ତ ଭାରତର “ନିଶା କୁ ନା” କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।