ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଏମ୍.ଗଣ୍ଡପାଲିରେ ଚତୁର୍ଥ ବାର୍ଷିକୋତ୍ସବ ୪.୦ (୨୦୨୬)’ ଉପଲକ୍ଷେ ଏକ ଭବ୍ୟ ସାଂସ୍କୃତିକ ସମାରୋହ ଆୟୋଜିତ ହୋଇଯାଇଛି। ଶିକ୍ଷା, ସଂସ୍କୃତି ଓ ସୃଜନଶୀଳତାର ସମନ୍ୱୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଙ୍କୁ ଆକର୍ଷିତ କରିଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମାନ ମୁରାରୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ବିଦ୍ୟାଳୟର ନବନିର୍ମିତ ବିଜ୍ଞାନ ଗାରର ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବିଜେପୁର ତହସିଲଦାର ଶ୍ରୀ ମୁକ୍ତେଶ୍ୱର ପାଣିଗ୍ରାହୀ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝାରବନ୍ଧର ପ୍ରିନ୍ସପାଲ ଶ୍ରୀ ଜିତେନ୍ଦ୍ର ପଧାନ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ବରଗଡ଼ ପଞ୍ଚାୟତ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ମାନଭଞ୍ଜନ ପାଣିଗ୍ରାହୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ବିଘ୍ନରାଜ ଗଣେଶଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ମୁରାରୀ ପ୍ରସାଦ ସାହୁ ବିଦ୍ୟାଳୟର ବାର୍ଷିକ ପ୍ରତିବେଦନ ପାଠ କରି ଶିକ୍ଷାଗତ, କ୍ରୀଡ଼ା ଓ ସାଂସ୍କୃତିକ କ୍ଷେତ୍ରର ସଫଳତା ସମ୍ପର୍କରେ ଅବଗତ କରାଇଥିଲେ।ମୁଖ୍ୟ ଅତିଥି ଶ୍ରୀମାନ ସନତ କୁମାର ଗଡତୀୟା ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଶିକ୍ଷା ହେଉଛି ଜାତି ଗଠନର ମୂଳ ଆଧାର ଏବଂ ଆଦର୍ଶ ବିଦ୍ୟାଳୟଗୁଡ଼ିକ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରସାରରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି। ମୁଖ୍ୟବକ୍ତା ଶ୍ରୀ ମାନଭଞ୍ଜନ ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱପ୍ନ ଦେଖିବା, ପରିଶ୍ରମ କରିବା ଓ ନବୀନ ଚିନ୍ତାଧାରା ଅପଣାଇବାକୁ ଆହ୍ୱାନ ଦେଇଥିଲେ।ଏହା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ନାଟକ, ଲୋକନୃତ୍ୟ ଓ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାନ୍ୟବର ବିଧାୟକଙ୍କ ହାତରେ ପୁରସ୍କୃତ କରାଯାଇଥିଲା।ଶେଷରେ ଅଧ୍ୟକ୍ଷ ଶ୍ରୀ ମୁରାରୀ ପ୍ରସାଦ ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.