କେନ୍ଦୁଝର,ତା୨୯/୧- କେନ୍ଦୁଝର ସଦର ମହକୁମାସ୍ଥିତ କାଳୀ ପଡ଼ିଆଠାରେ ଆଜିଠାରୁ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ମହାସମାରୋହରେ ଆରମ୍ଭ ହୋଇଯାଇଛି। କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ମେଳା ଆଜିଠାରୁ ଆସନ୍ତା ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ଥାନୀୟ ଟେଲିଫୋନ ଛକରୁ ପାରମ୍ପରିକ ବାଦ୍ୟ ଓ ହୁଳହୁଳିରେ ଅତିଥି ମାନଙ୍କୁ ସଭାମଞ୍ଚ କୁ ପାଛୋଟି ନିଆଯାଇଥିଲା । ଆନୁଷ୍ଠାନିକ ଭାବେ ଫିତା କାଟି ପ୍ରଦର୍ଶନୀ ର ଶୁଭାରମ୍ଭ କରିବା ପରେ ମା’ ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ପ୍ରଦୀପ ପ୍ରଜ୍ବଳନ ଓ ବୃକ୍ଷରେ ଜଳଦାନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ସ୍ୱାଗତ ଅଭିଭାଷଣ ଦେଇ କହିଥିଲେ ଯେ, ବିକ୍ରେତା ଓ ଚାଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଏହି ମେଳାରେ କୃଷି ଯନ୍ତ୍ରପାତି କିଣିବା ଉପରେ ଚାଷୀଙ୍କୁ ୪୦%ରୁ ୭୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ‘ସୁନାର ଓଡ଼ିଶା’ରେ ପରିଣତ କରିବା ଲକ୍ଷ୍ୟରେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ଅପରିହାର୍ଯ୍ୟ ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିବା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ଃ ସୁକାନ୍ତ କୁମାର ସାହୁ, କୃଷି ଗବେଷଣା ଓ ଜ୍ଞାନ କୌଶଳ ସମ୍ପ୍ରସାରଣ କେନ୍ଦ୍ରର ସହଯୋଗୀ ଗବେଷଣା ନିର୍ଦ୍ଦେଶକ ଶ୍ରୀ କିଶୋର ଚନ୍ଦ୍ର ସାହୁ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ସେନାପତି କୃଷି ଜ୍ଞାନ କୌଶଳ, କୃଷି ଯନ୍ତ୍ରପାତିର ବ୍ୟବହାର, ଉପଲବ୍ଧ ରିହାତି ବିଷୟରେ ତଥ୍ୟ ରଖିଥିଲେ,କୃଷି ଅଧିକ୍ଷଣଯନ୍ତ୍ରୀ ଶ୍ରୀ ନରେନ୍ଦ୍ର କୁମାର ପଣ୍ଡା ନିଜ ଅଭିଭାଷଣ ରେ କେନ୍ଦୁଝରର ଚାଷୀଙ୍କ ଆଧୁନିକ ପ୍ରଣାଳୀ ରେ ଚାଷ କାର୍ଯ୍ୟ ର ଉତ୍ସାହକୁ ପ୍ରଶଂସା କରି କହିଥିଲେ ଯେ, ଜିଲ୍ଲାରେ ଯନ୍ତ୍ରପାତି କିଣିବା ହାର ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅନେକ ବୃଦ୍ଧି ପାଇଛି ଏବଂ ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଚମ୍ପୁଆଙ୍କ ପ୍ରତିନିଧି ଶ୍ରୀ ସଞ୍ଜୀବ କୁମାର ବେହେରା ଗବେଷଣା ଲବ୍ଧ ଜ୍ଞାନ କୌଶଳ ଓ ସରକାରୀ ଯୋଜନାର ସୁବିଧା ଉପଯୋଗ କରି ଲାଭନ୍ୱିତ ହେବାକୁ ଆହ୍ୱାନ ଦେଇଥିଲେ ଓ କୃଷି ବିଭାଗ ଦ୍ୱାରା ଆୟୋଜିତ ଏହି ମେଳା ଏକ ସଫଳ ପ୍ରୟାସ ବୋଲି ପ୍ରକାଶ କରିଥିଲେ l ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ସହାୟତା ପ୍ରଦାନ ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାରେ ସହାୟତା ବଣ୍ଟନ କରାଯାଇଥିଲା ଶ୍ରୀ ଅନ୍ନ ଅଭିଯାନ ରେ ୩ଟି ମହିଳା ଗୋଷ୍ଠୀଙ୍କୁ ‘ମିଲେଟ ଟିଫିନ ସେଣ୍ଟର’ ପାଇଁ କାର୍ଯ୍ୟାଦେଶ, ଆତ୍ମା ଯୋଜନାର ୪ଟି ସ୍ୱୟଂ ସହାୟ ଗୋଷ୍ଠୀଙ୍କୁ ମୂଳପାଣ୍ଠି ବାବଦରେ ୨୫ ହଜାର ଟଙ୍କାର ଚେକ୍, ଯନ୍ତ୍ରପାତି ବିତରଣରେ ୪ ଜଣ ହିତାଧିକାରୀଙ୍କୁ କୃଷି ଯନ୍ତ୍ରପାତିର ଚାବି ହସ୍ତାନ୍ତର। ମୁଖ୍ୟ ଅତିଥି ଶ୍ରୀମତୀ ନିକୁ ସାହୁ ‘ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନରେ କୃଷକଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସଭାରେ କେନ୍ଦୁଝରର ଅଗ୍ରଣୀ ନାଟ୍ୟସଂସ୍ଥା ସୂରନିକେତନର କଳାକାରମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ସର୍ବଶେଷରେ କୃଷି ଜିଲ୍ଲା ଅଧିକାରୀ ଚମ୍ପୁଆ ଶ୍ରୀ ସତ୍ୟବାନ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ l ବିଭିନ୍ନ ବ୍ଲକରୁ ପରିଭ୍ରମଣରେ ଆସି ଥିବା କୃଷକ ଭାଇ ଭଉଣୀ, ସାମ୍ପ୍ରସାରଣକର୍ମୀ, କୃଷି ବୈଜ୍ଞାନିକ ଓ ସାଧାରଣ ଜନତା, ମେଳାରେ ଛବିଶ ଗୋଟି ଯନ୍ତ୍ରପାତି ବିକ୍ରେତା ଏବଂ ଆଠ ଗୋଟି ସରକାରୀ ବିଭାଗ ତରଫରୁ ଖୋଲାଯାଇଥିବା ସତୁରିଗୋଟି ପ୍ରଦର୍ଶନ ମଣ୍ଡପକୁ ବୁଲି ଦେଖିଥିଲେ l ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.