ବଲାଙ୍ଗିର ଲୋକ ମହୋତ୍ସବ ୨୦୨୬ରେ ଆଇନ ସେବା ପ୍ରାଧିକରଣର ଷ୍ଟଲ୍ ଉଦଘାଟିତ

2

ଜନସାଧାରଣଙ୍କୁ ନିଶୁଳ୍କ ଆଇନ ସଚେତନତା ପ୍ରଦାନ ଉଦ୍ଦେଶ୍ୟ

ବଲାଙ୍ଗିର, ୨୧/୦୧ (ଘନଶ୍ୟାମ ନାଗ): -ବଲାଙ୍ଗିର ଲୋକ ମହୋତ୍ସବ ୨୦୨୬ ଅବସରରେ କୋଶଳ କଳା ମଣ୍ଡପ ପରିସରରେ ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ତରଫରୁ ୨ ନମ୍ବର ଷ୍ଟଲ୍ ଭବ୍ୟ ଭାବେ ଉଦଘାଟିତ ହୋଇଯାଇଛି। ଉକ୍ତ ଷ୍ଟଲ୍‌ର ଉଦଘାଟନ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ (ଭାରପ୍ରାପ୍ତ) ଶ୍ରୀ ମଳୟ କୁମାର ଦାଶଙ୍କ ନେତୃତ୍ୱରେ ହୋଇଥିଲା।
ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜି ଇସଲୱାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜୀ, ଜିଲ୍ଲା ବାର ସଭାପତି ଶ୍ରୀ ବାସୁଦେବ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ କରକମଳରେ ଷ୍ଟଲ୍‌ର ଉଦଘାଟନ କରିଥିଲେ। ଏହାସହିତ ଅନ୍ୟତମ ଅତିଥି ଭାବେ ସିଭିଲ କୋର୍ଟର ରେଜିଷ୍ଟ୍ରାର ଶ୍ରୀ ଶ୍ରୀଦିପ ମିଶ୍ର ଉପସ୍ଥିତ ଥିଲେ। ଲୋକ ମହୋତ୍ସବରେ ଆଗତ ସାଧାରଣ ଲୋକଙ୍କୁ ନିଶୁଳ୍କ ଆଇନ ସହାୟତା, ଆଇନ ସଚେତନତା, ମହିଳା, ଶ୍ରମିକ, ବୃଦ୍ଧ, ଶିଶୁ ଓ ଅନ୍ୟାନ୍ୟ ଅସହାୟ ବର୍ଗଙ୍କ ଆଇନଗତ ଅଧିକାର ସମ୍ପର୍କରେ ସୂଚନା ପ୍ରଦାନ କରିବା ଏହି ଷ୍ଟଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ପବିତ୍ରନନ୍ଦ ପ୍ରଧାନ ଓ ଜିଲ୍ଲା ବାର ସେକ୍ରେଟାରୀଙ୍କ ତତ୍ତ୍ୱାବଧାନରେ ପ୍ରାଧିକରଣର ସମସ୍ତ କର୍ମଚାରୀ ଓ ପି.ଏଲ.ଭି. ସଦସ୍ୟମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଲୋକ ମହୋତ୍ସବ ଭଳି ଜନସମାଗମ ଥିବା କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣର ଏହି ପଦକ୍ଷେପକୁ ସାଧାରଣ ଲୋକ ଉଚ୍ଚ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.