ପାଟଣାଗଡ଼ ଆରଡ଼ି ବିଭାଗ ଦୁର୍ନୀତିର ଚରମ ସୀମାରେ !!

2

ନିମ୍ନ ମାନର କାମରେ କୋଟି କୋଟି ଟଙ୍କାର ସରକାରୀ ଧନ ଲୁଟ

ବଲାଙ୍ଗିର, (ଘନଶ୍ୟାମ ନାଗ) ୨୧/୦୧:- ଭାରତ ଏକ ଗଣତାନ୍ତ୍ରିକ ଦେଶ ହୋଇଥିବାରୁ ଗ୍ରାମୀଣ ଉନ୍ନତିକୁ ସରକାର ପ୍ରାଥମିକତା ଦେଇ ଗାଁ ଗାଁକୁ ପକ୍କା ଓ ପିଚୁ ରାସ୍ତା ନିର୍ମାଣ କରି ସହର ଓ ମୁଖ୍ୟ ରାସ୍ତା ସହ ଜୋଡ଼ିବା ଉଦ୍ଦେଶ୍ୟ ନେଇଛନ୍ତି। ଏହି ଉନ୍ନୟନ କାର୍ଯ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡ଼ି) ଗୁରୁତ୍ୱପୂର୍ଣ ଭୂମିକା ତୁଲାଉ ଥିବା ବେଳେ, ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଆରଡ଼ି ବିଭାଗ ଏବେ ଦୁର୍ନୀତିର ଗନ୍ତାଘର ଭାବେ ପରିଚିତ ହେଉଛି।
ଅଞ୍ଚଳରେ ନିର୍ମିତ ଓ ନିର୍ମାଣାଧୀନ ଅନେକ ପିଚୁ ରାସ୍ତା ଅତି ନିମ୍ନ ମାନର ହୋଇଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାସ୍ତା ନିର୍ମାଣର କିଛି ଦିନ ମଧ୍ୟରେ ପିଚୁ ଖସିଯିବା, ସ୍ଥାନେ ସ୍ଥାନେ ଗାଢ଼ ସୃଷ୍ଟି ହେବା, ପାଖ ପାଖ ମାଟି ଉପୁଡି ପଡ଼ିବା ଭଳି ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ। ପିଚୁ ରାସ୍ତାର କାର୍ଯ୍ୟ ଦେଖି ପ୍ରତୀୟମାନ ହେଉଛି ଯେ, ଠିକାଦାର ଓ ବିଭାଗୀୟ କର୍ମଚାରୀଙ୍କ ମିଳିଭଗତରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯାଇ ସରକାରୀ ଧନର ଭାରି ଲୁଟ ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ।
ଏହି ନିମ୍ନ ମାନର ପିଚୁ ରାସ୍ତାର ଜ୍ୱଳନ୍ତ ଉଦାହରଣ ଭାବେ ଇନ୍ଦପୁର ଠାରୁ ଇନ୍ଦପୁର କଲୋନୀ ପର୍ଯ୍ୟନ୍ତ ପିଚୁ ରାସ୍ତା ଏବଂ ଗେରଡ଼ା ଛକଠାରୁ ମରାଳ ଗ୍ରାମ ପର୍ଯ୍ୟନ୍ତ ନିର୍ମିତ ପିଚୁ ରାସ୍ତାକୁ ଗ୍ରାମବାସୀ ଉଦାହରଣ ସ୍ୱରୂପ ଦେଖାଉଛନ୍ତି। ଏହି ରାସ୍ତାଗୁଡ଼ିକ ନିର୍ମାଣ ପରେ କେବଳ କିଛି ଦିନ ମଧ୍ୟରେ ଭଙ୍ଗୁର ଅବସ୍ଥାକୁ ପହଞ୍ଚିଥିବା ବେଳେ, ଛକ ସ୍ଥାନରେ ପିଚୁ ଉପୁଡି ଯାଇ ଥିବାରୁ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ମଧ୍ୟ ଅଭିଯୋଗ ହେଉଛି।
ଚିନ୍ତାଜନକ କଥା ହେଉଛି, ବିଭିନ୍ନ ଖବରକାଗଜ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆ ଦ୍ୱାରା ପାଟଣାଗଡ଼ ଆରଡ଼ି ବିଭାଗର ଅତି ନିମ୍ନ ମାନର କାମକୁ ନେଇ ବାରମ୍ବାର ଖବର ପ୍ରକାଶିତ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କାହାକୁ ଖାତିର ନ କରି ମନମାନି ଭାବେ ସେହି ଧାରାକୁ ଜାରି ରଖିଛନ୍ତି। ଏହାରୁ ସ୍ପଷ୍ଟ ହେଉଛି ଯେ, ଉପରୁ ତଳ ପର୍ଯ୍ୟନ୍ତ ଏକ ସୁଯୋଜିତ ଦୁର୍ନୀତିର ଚକ୍ର ଚାଲିଛି । ଗ୍ରାମବାସୀମାନେ ଏବେ ଦାବି କରୁଛନ୍ତି ଯେ, ସମସ୍ତ ନିମ୍ନ ମାନର ପିଚୁ ରାସ୍ତା କାର୍ଯ୍ୟର ତୃତୀୟ ପକ୍ଷ ଯାଞ୍ଚ, ଭିଜିଲାନ୍ସ ତଦନ୍ତ ଏବଂ ଦାୟୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଦୋଷୀଙ୍କୁ ଗିରଫ କରି ସରକାରୀ ଧନ ଅପବ୍ୟୟର ଟଙ୍କା ଆଦାୟ କରାଯିବା ସହ ନିମ୍ନ ମାନର ରାସ୍ତାକୁ ପୁନଃ ନିର୍ମାଣ କରିବାକୁ ମଧ୍ୟ ଦୃଢ଼ ଦାବି ହେଉଛି। ଯଦି ଶୀଘ୍ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.