କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ବଦଳି ଦାବିରେ ସାମ୍ବାଦିକ ସଂଘର ଦାବିପତ୍ର ।

3

କେନ୍ଦ୍ରାପଡା:୧୯/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାର ଉପ ଜିଲ୍ଲାପାଳଙ୍କ ଆଚରଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ରାଜ୍ୟ ସାମ୍ବାଦିକ ସଂଘ, କେନ୍ଦ୍ରାପଡ଼ା ଶାଖା। ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ତୁରନ୍ତ ବଦଳି କରାଯିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସାମ୍ବାଦିକ ସଂଘର ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ ଉପଜିଲ୍ଲାପାଳ ନିଜ ଦାୟିତ୍ୱ ଓ ଶାସନ ମର୍ଯ୍ୟାଦାକୁ ଅଗ୍ରାହ କରି ବେଖାତିର ଭାବେ କାର୍ଯ୍ୟ କରୁଛନ୍ତି। ଜନସାଧାରଣ ସମସ୍ୟା ନେଇ କାର୍ଯ୍ୟାଳୟକୁ ଆସିଲେ ସେମାନଙ୍କ ସହ ଅସଭ୍ୟ ବ୍ୟବହାର ଓ ଅପମାନଜନକ ଭାଷା ବ୍ୟବହାର କରାଯାଉଥିବା ଅଭିଯୋଗ ରହିଛି। ଏହା ସହ ସାମ୍ବାଦିକ ମାନଙ୍କୁ ମଧ୍ୟ ଗାଳିଗୁଳଜ କରିବା ଓ ଧକ୍କାମାରିବା ଭଳି ଘଟଣା ଘଟିଥିବା ଦାବି କରାଯାଇଛି। ସମ୍ପ୍ରତି ପଲ୍ଲୀଶ୍ରୀ ମେଳା ଚାଲିଥିବା ସମୟରେ ଓଡିଶାର ଜଣେ ସୁନାମଧନ୍ୟ କଳାକାରଙ୍କୁ ଗ୍ୟାଲେରୀରୁ ବାହାରି ଯିବାକୁ କହିବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଉକ୍ତ କଳାକାର ଆଧିକାରିକ ଭାବେ କଳା ପ୍ରଦର୍ଶନ ପାଇଁ ନିମନ୍ତ୍ରିତ ଥିବା ସତ୍ତ୍ୱେ ଏପରି ଆଚରଣ ଅନୁଚିତ ବୋଲି ସଂଘ କହିଛି। ଏହି ଘଟଣା ବିଭିନ୍ନ ଖବରକାଗଜ, ଜାତୀୟ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରଚାରିତ ହୋଇଥିଲା। ସଂଘର ମତରେ ଏପରି ଦାଦାଗିରି ମୂଳକ ଆଚରଣ ‘ଲୋକଙ୍କ ସରକାର’ ବୋଲି ଦାବି କରୁଥିବା ମୋହନ ସରକାରଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥାକୁ କ୍ଷୁଣ୍ଣ କରିବ। ତେଣୁ ତୁରନ୍ତ ଉପ ଜିଲ୍ଲାପାଳଙ୍କୁ ବଦଳି କରାଯିବା ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ସଂଘ ଦୃଢ଼ ଦାବି କରିଛି।ଯଦି ଦାବି ପୂରଣ ନହୁଏ, ଆଗାମୀ ଦିନରେ ରାଜ୍ୟ ସାମ୍ବାଦିକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘର ସଭାପତି ଦୈତାରୀ ଜେନା ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଅସିତ ପଣ୍ଡା, ସତ୍ୟରଞ୍ଜନ ପଣ୍ଡା, ପ୍ରଫୁଲ୍ଲ ମଲ୍ଲ, ସର୍ବେଶ୍ୱର ମଲ୍ଲିକ, ପ୍ରଭାତ ଲେଙ୍କା, ମୃତୁଞ୍ଜୟ ପରିଡା, ସୈଫୁଲ୍ଲା ଖାନ, ଅମର ବିଶ୍ୱାଳ, ସନ୍ତୋଷ ପୋଥାଳ ସହ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ।

Leave A Reply

Your email address will not be published.