ପାଟକୁରା ବିଧାୟକଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପୁନଃବିଚାର ପାଇଁ ଦଳ ନେତୃତ୍ୱଙ୍କୁ ଡେରାବିଶ ବ୍ଲକ ବିଜେଡିର ନିବେଦନ ।

3

 

କେନ୍ଦ୍ରାପଡା:୧୮/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) ପାଟକୁରା ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ରଙ୍କ ବିରୁଦ୍ଧରେ ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ପୁନଃବିଚାର କରିବା ପାଇଁ ବିଜୁ ଜନତା ଦଳ ଡେରାବିଶ ବ୍ଲକ ପକ୍ଷରୁ ଦଳ ନେତୃତ୍ୱଙ୍କ ନିକଟରେ ନିବେଦନ ଜଣାଇଯାଇଛି।ଏହି ଉଦ୍ଦେଶ୍ୟରେ ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରା ଚକଡା କାର୍ଯ୍ୟାଳୟ ପରିସରରେ ଥିବା କଲ୍ୟାଣି ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ବ୍ଲକ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ରହି ବିଧାୟକଙ୍କ ବିରୁଦ୍ଧରେ ନିଆଯାଇଥିବା ନିଷ୍ପତିକୁ ଅନ୍ୟାୟ ଓ ଦଳୀୟ କାର୍ଯ୍ୟଶୈଳୀ ବିରୋଧୀ ବୋଲି ମତ ପ୍ରକାଶ କରିଥିଲେ।
ବ୍ଲକ ବିଜେଡି ପକ୍ଷରୁ କୁହାଯାଇଥିଲା ଯେ, ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର ନିର୍ବାଚିତ ହେବା ପରେ ପାଟକୁରା ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ସମସ୍ତ ଦଳୀୟ କାର୍ଯ୍ୟକ୍ରମ ଦଳର ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ନେତୃତ୍ୱରେ ସଫଳତାର ସହିତ ନିର୍ବାହ କରାଯାଇଛି।ଦଳର ଆଇନ-ଶୃଙ୍ଖଳା ବିପର୍ଯ୍ୟସ୍ତତାକୁ ନେଇ କଟକ ଆରଡିସି କାର୍ଯ୍ୟାଳୟ ଘେରାଉ, ଜନସଂପର୍କ ପଦଯାତ୍ରା, ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ, ବିଜୁବାବୁଙ୍କ ଜୟନ୍ତୀ ଓ ପଞ୍ଚାୟତ ରାଜ ଦିବସ ପାଳନ ଭଳି କାର୍ଯ୍ୟକ୍ରମଗୁଡ଼ିକ ତାଙ୍କ ନେତୃତ୍ୱରେ ସୁସଂଗଠିତ ଭାବେ ସମ୍ପନ୍ନ ହୋଇଥିବା ଦାବି କରାଯାଇଛି।
ସେହିପରି ବିଧାୟକ ଶ୍ରୀ ମହାପାତ୍ର କେବେ ବି ଦଳ ବିରୋଧରେ ସର୍ବସାଧାରଣରେ କୌଣସି ମନ୍ତବ୍ୟ ଦେଇନାହାନ୍ତି କିମ୍ବା ଦଳ ବିରୋଧୀ କାର୍ଯ୍ୟକଳାପରେ ସାମିଲ ହୋଇଥିବାର କୌଣସି ନଜିର ନଥିବା ବି ନେତାମାନେ କହିଥିଲେ। ନବାଗତ ବିଧାୟକ ହେଲେ ମଧ୍ୟ ବି ସେ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରି ଜନସାଧାରଣଙ୍କ ସମସ୍ୟାକୁ ସଶକ୍ତ ଭାବେ ଉପସ୍ଥାପନ କରିଥିବା ଉଲ୍ଲେଖ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବକ୍ତାମାନେ କହିଥିଲେ ଯେ, ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର ସର୍ବଦା ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ନେତା ଭାବେ ସମ୍ମାନ ଦେଇ ଆସିଛନ୍ତି। ଏପରି ସ୍ଥିତିରେ ତାଙ୍କ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଦଳ ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇବା ଅନୁଚିତ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ସେହିହେତୁ ବିଜୁ ଜନତା ଦଳ ଡେରାବିଶ ବ୍ଲକ ପକ୍ଷରୁ ଦଳର ଶୀର୍ଷ ନେତୃତ୍ୱଙ୍କୁ ଏହି ନିଷ୍ପତିର ପୁନଃବିଚାର କରିବାକୁ ଦୃଢ଼ ଭାବେ ଦାବି କରାଯାଇଛି।

Leave A Reply

Your email address will not be published.