ତାଳପଦର ଠାରେ ଜଙ୍ଗଲ ନିଆଁ ନିରାକରଣ ସଚେତନତାସଭା

1

ବିଜେପୁର : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଘେଁସ ବନ୍ୟାଂଚଳ, ବିଜେପୁର ସେକ୍ଟରର ପ୍ରୟାସରେ ତାଳପଦର ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ଏକ ସଚେତନତା ସଭା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ଋତୁ ଆସିବା ସହିତ ଜଙ୍ଗଲ ଅଞ୍ଚଳରେ ନିଆଁ ଲାଗିବାର ଆଶଙ୍କା ବଢ଼ୁଥିବାରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ସଭା ଆୟୋଜିତ କରାଯାଇଥିଲା।ସଭାରେ ବନବିଭାଗର ଚିନ୍ମୟ କୁମାର ପଧାନ ଓ ଲୋକେଶ୍ୱର ବୁଡ଼େକ ପ୍ରମୁଖ ଭାବେ ଉପସ୍ଥିତ ରହି ଜଙ୍ଗଲ ନିଆଁ ଲାଗିବାର କାରଣ ଓ ତାହାର ନିରାକରଣ ସମ୍ପର୍କରେ ଗ୍ରାମବାସୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ବିଶେଷକରି ଅସାବଧାନତାରେ ବିଡି–ସିଗରେଟ ଫିଙ୍ଗିବା, ଶୁଖିଲା ପତ୍ର ଜଳାଇବା, ମହୁଆ ସଂଗ୍ରହ ସମୟରେ ବ୍ୟବହାର କରିବା ଭଳି କାରଣରୁ ଜଙ୍ଗଲ ନିଆଁ ଲାଗୁଥିବା କଥା ଉଲ୍ଲେଖ କରିଥିଲେ lଚିନ୍ମୟ କୁମାର ପଧାନ କହିଥିଲେ ଯେ ଜଙ୍ଗଲ ନିଆଁ ହେଲେ ବନ୍ୟପ୍ରାଣୀ, ପରିବେଶ ଓ ସ୍ଥାନୀୟ ଲୋକଙ୍କ ଜୀବିକା ଉପରେ ଗଭୀର କୁପ୍ରଭାବ ପଡ଼େ। ତେଣୁ ଜଙ୍ଗଲରେ କୌଣସି ନିଆଁ ଲାଗିଲେ ତୁରନ୍ତ ବନବିଭାଗ କିମ୍ବା ନିକଟସ୍ଥ ବନ କର୍ମଚାରୀଙ୍କୁ ସୂଚନା ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ।ଏହି ସଚେତନତା ସଭାରେ ସ୍ଥାନୀୟ ଜନପ୍ରତିନିଧି, ଗ୍ରାମର ବୁଦ୍ଧିଜୀବୀ, ଯୁବକ, ଗ୍ରାମବାସୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.