ଛତୁଆ ଦୁର୍ନୀତି ଅଭିଯୋଗକୁ ନେଇ ଜିଲ୍ଲା କଂଗ୍ରେସର ପ୍ରେସମିଟ

3

ରାଇଘର, ତା. 16/01/26,ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ଛତୁଆ ନିର୍ମାଣ ଓ ବଣ୍ଟନରେ ଭାରି ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ଏହି ଦୁର୍ନୀତିର ଫଳରେ କୋମଳମତି ଶିଶୁ ଓ ଗର୍ଭବତୀ ପ୍ରସୂତି ମା’ମାନେ ଅତ୍ୟନ୍ତ ନିମ୍ନମାନର ଓ କଦର୍ଯ୍ୟ ଛତୁଆ ଖାଇବାକୁ ବାଧ୍ୟ ହେଉଛନ୍ତି। ଛତୁଆ ତିଆରି କରୁଥିବା ସଂସ୍ଥା ଓ ସେହି ସଂସ୍ଥାର ମାଲିକ ଆଜି କୋଟିପତି ହୋଇଯାଇଥିବା ବେଳେ, କିଛି ବର୍ଷ ପୂର୍ବରୁ ଏକ ଛୋଟିଆ ଘରେ ଚାଲୁଥିବା ଛତୁଆ କାରଖାନା ଏବେ ଦୁଇ ମହଲା କୋଠାରେ ପରିଣତ ହୋଇଛି ବୋଲି ଅଭିଯୋଗ ହେଉଛି।
ତଦୁପରି, ଛତୁଆ ନିର୍ମାଣ ସଂସ୍ଥା ଚଳାଉଥିବା ମାଲିକ ରାଇଘର, ଉମରକୋଟ ସହ ଅନ୍ୟାନ୍ୟ ସହରରେ ଜାଗା କିଣି କୋଠା ଉପରେ କୋଠା ତିଆରି କରିଥିବା ଅଭିଯୋଗ ମଧ୍ୟ ଉଠିଛି।
ପୂର୍ବରୁ ରାଜ୍ୟରେ ବିଜେଡି ଶାସନ ସମୟରେ ମଧ୍ୟ ଏଭଳି ଅଭିଯୋଗ ହୋଇଥିଲା ଓ ସେତେବେଳେ ବିଜେପି ମଧ୍ୟ ଏହାକୁ ନେଇ ଆନ୍ଦୋଳନାତ୍ମକ ଭୂମିକା ନେଇଥିଲା। ଅଭିଯୋଗ ପରେ କିଛି ଏସଏଚଜି ଗ୍ରୁପ ଛତୁଆ ନିର୍ମାଣ ପାଇଁ ଆବେଦନ କରିଥିଲେ ଓ ଅଳ୍ପ ସମୟ ପାଇଁ କିଛି ଗ୍ରୁପକୁ କାମର ସୁଯୋଗ ମିଳିଥିଲା। କିନ୍ତୁ କ୍ରମେ ମାସକ୍ରମେ ସମସ୍ତ ନୂତନ ଗ୍ରୁପକୁ ବାହାର କରାଯାଇ, ପୁଣି ସେହି ପୁରୁଣା ଗ୍ରୁପ ହିଁ କାର୍ଯ୍ୟ ଚାଲୁ ରଖିଛି, ଯାହାଙ୍କ ନାମରେ ସବୁଠାରୁ ଅଧିକ ଅଭିଯୋଗ ରହିଛି।
ବର୍ତ୍ତମାନ ବିଜେପି ସତ୍ତାକୁ ଆସିବା ପରେ ମଧ୍ୟ ଏହି ମାମଲାରେ ସରକାର ନୀରବ ରହିଥିବା ଅଭିଯୋଗ କରିଛି କଂଗ୍ରେସ। ଯଦି ଶୀଘ୍ର ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ନଦେଇ ଠୋସ ପଦକ୍ଷେପ ନନିଅନ୍ତି, ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ସହ ରାଜରାସ୍ତାକୁ ଓହ୍ଲାଇବା ଓ ଭିଜିଲାନ୍ସ ତଦନ୍ତ ଦାବି କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ସଚେତନ କରାଯାଇଛି।
ଏହି ପ୍ରେସମିଟରେ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଭୁଜବଳ ମାଝୀ, ପୂର୍ବତନ ସାଂସଦ ଓ ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ ଉପସ୍ଥିତ ଥିଲେ।

Leave A Reply

Your email address will not be published.