କେନ୍ଦୁଝର,ତା୧୫/୧- ବଡ଼ ଧୂମଧାମରେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ମକର ଯାତ୍ରା ଅନୁଷ୍ଠିତ ହୋଇଥାଏ ।ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଧାନବେଣୀ ମକର ଯାତ୍ରା ଅନ୍ଯତମ। ଏଠାରେ ବାବା ଧନେଶ୍ବର ମହାଦେବ ସ୍ଥଳଭାଗ ଠାରୁ ୯୭୦ ଫୁଟ ଉଚ୍ଚରେ ପୂଜାପାଇ ଆସୁଛନ୍ତି। ୫୦ ଏକରରୁ ଊର୍ଦ୍ଧ୍ବ ଏକ ବିରାଟ ପଥର ଉପରେ ଅଛି ବାବା ଧନେଶ୍ବର ମହାଦେବ ମନ୍ଦିର।ଭକ୍ତ ମାନେ ଧନେଶ୍ବରଙ୍କ ଆଶୀର୍ବାଦ ପାଇଁ ଖାଲି ପାଦରେ ପଥର ଚଢି କୃପାଲାଭ କରିଥାନ୍ତି। ଏହି ଅବସରରରେ ଆଞ୍ଚଳିକ ବିକାଶ ମଞ୍ଚ,ଜୁଙ୍ଗା ଗ୍ରାମ ପଞ୍ଚାୟତ ଦ୍ବାରା ଧାନବେଣୀ ମକର ମହୋତ୍ସବ ଓ ଟୁସୁ ସମ୍ମିଳନୀର ଆୟୋଜନ ପ୍ରତିବର୍ଷ କରାଯାଉଅଛି। ଚଳିତ ବର୍ଷ ମହୋତ୍ସବର ଉଦଘାଟନୀ ଉତ୍ସବରେ ଆଞ୍ଚଳିକ ବିକାଶ ମଞ୍ଚର ଉପଦେଷ୍ଠା ଶ୍ରୀଯୁକ୍ତ ରତ୍ନାକର ମହାନ୍ତ ସଭାପତିତ୍ବରେ ମୁଖ୍ଯ ଅତିଥି ଶ୍ରୀମତୀ ଇଂ. ରଶ୍ମୀରେଖା ଚାତାର, ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ କେନ୍ଦୁଝର ଯୋଗ ଦେଇ ଉତ୍ତର ଓଡିଶାର କୃଷିଭିତ୍ତିକ ପର୍ବ ମକର ଓ ଟୁସୁ ପର୍ବର ଇତିହାସ ପରମ୍ପରା,ବୀରତ୍ବର କାହାଣୀ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ଯ ବକ୍ତା ରାଇରଙ୍ଗପୁର ବିଜେପିର ପ୍ରଭାରୀ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଂଶୁମାନ ସବୁଜ ମହାନ୍ତ ବର୍ମା ଯୋଗ ଦେଇ ଟୁସୁମନୀର ବୀରତ୍ବ ଓ ନିଜ ଜାତି ଧର୍ମ ପାଇଁ ନିଜର ସଂଘର୍ଷ ଓ ବଳିଦାନ ଦେଇ ଥିଲେ ସେବିଷୟରେ ବକ୍ତବ୍ଯ ଦେଇ ଥିଲେ। ସ୍ବତନ୍ତ୍ର ଅତିଥି ଶ୍ରୀଯୁକ୍ତ ଲଛମନ ମହାନ୍ତ, ସମାଜସେବୀ ବଡବିଲ, ସମ୍ମାନିତ ଅତିଥି ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ବେହେରା , କୁଡୁମୀ ସେନା ସଂଗଠକ ଶ୍ରୀଯୁକ୍ତ ବିଶ୍ବଜିତ ମହାନ୍ତ ,ଇଂ. ଦୀପକ ଜେନା,ସଭାପତି ବଜରଙ୍ଗ ଟିପର ଆସୋସିଏସନ,ଯୁବ ନେତା ରାଜେଶ ସିଂ ଓ ଜଙ୍ଘିରା ମଣ୍ଡଳ ସଭାପତି ଶ୍ରୀଯୁକ୍ତ ହୀରାଲାଲ ମହାନ୍ତ ମଞ୍ଚାସୀନ ଥିଲେ। ସଭାକାର୍ଯ୍ୟ ପରେ ବଜରଙ୍ଗୀ ଝୁମର,ନୃତ୍ଯଶାଳା ସାଂସ୍କୃତି କେନ୍ଦ୍ର କଟକ ତଥା ଟୁସୁ ପ୍ରତିଯୋଗୀ ଦଳ ମାନଙ୍କ ଦ୍ବାରା ମନୋରଞ୍ଜନ କରି ଦର୍ଶକଙ୍କୁ ମତୁଆଲା କରିଥିଲେ । ଟୁସୁ ସମ୍ମିଳନୀରେ କାବେରିପଶି ଟୁସଦଳ ପ୍ରଥମ ପୁରସ୍କାର, ସାନନୂଆଗାଁ ଦ୍ବିତୀୟ ଓ ବଲାଣୀପଶି ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଆଞ୍ଚଳିକ ବିକାଶ ମଞ୍ଚର ସଂପାଦକ ମନୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଲକ୍ଷ୍ମୀଧର ମହାନ୍ତ, ଗଣେଶ୍ବର ମହାନ୍ତ, ଲକ୍ଷ୍ମୀକାନ୍ତ ମହାନ୍ତ, ସରୋଜ ମହାନ୍ତ, ତ୍ରିଲୋଚନ ମହାନ୍ତ, ହାଡିବନ୍ଧୁ ମହାନ୍ତ ଓ ସତ୍ଯଜିତ ମହାନ୍ତ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post