ସୋସିଆଲ ମିଡିଆର ମହାପ୍ରଭାବ: ଏବେ ଚେତିଲା ପ୍ରଶାସନ

3

ବିଜେପୁର :- ସୋସିଆଲ ମିଡିଆର ମହାପ୍ରଭାବ ପୁଣିଥରେ ସାମ୍ନାକୁ ଆସିଛି। ବାରମ୍ବାର ଯୋଖିପାଲି ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ସୋସିଆଲ ମିଡିଆରେ ନିରନ୍ତର ପୋଷ୍ଟ ହେଉଥିଲା। ସ୍ଥାନୀୟ ଲୋକେ ଫଟୋ ସହ ଏହି ବିଷୟକୁ ସାର୍ବଜନିକ ମଞ୍ଚରେ ଉଠାଇ ପ୍ରଶାସନଙ୍କ ଦୃଷ୍ଟିଆକର୍ଷଣ କରୁଥିଲେ।
ସୋସିଆଲ ମିଡିଆରେ ଖବର ପ୍ରସାର ପରେ ପ୍ରଶାସନ ତୁରନ୍ତ ଚେତି ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ସୋସିଆଲ ପୋଷ୍ଟ ପରେ ବିଜେପୁର ତହସିଲଦାର, ଥାନା ଅଧିକାରୀ ଓ ଖଣି ଅଧିକାରୀ ଯୋଖିପାଲି ନଦୀ ଅଞ୍ଚଳକୁ ପହଞ୍ଚି ସ୍ଥଳୀୟ ଯାଞ୍ଚ କରିଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ନଦୀରୁ ବେଆଇନ ବାଲି ଉଠାଣ ଓ ଚୋରା ଚାଲାଣ ହୋଇଆସୁଥିଲେ ମଧ୍ୟ ପୂର୍ବରୁ କୌଣସି କଠୋର ପଦକ୍ଷେପ ଦେଖାଯାଇନଥିଲା। ସୋସିଆଲ ମିଡିଆରେ ବାରମ୍ବାର ଖବର ଆସିବା ପରେ ପ୍ରଶାସନ ମାଇଦାନକୁ ଆସିଥିବାରୁ ଲୋକମାନେ ସନ୍ତୋଷ ପ୍ରକାଶ କରିଛନ୍ତି।ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ ସୋସିଆଲ ମିଡିଆ ଲୋକଙ୍କ ଆବାଜକୁ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି। ପ୍ରଶାସନ ତରଫରୁ ଯେ ତୁରନ୍ତ ପଦକ୍ଷେପ ନିଆଯାଇଛି, ତାହା ସ୍ୱାଗତଯୋଗ୍ୟ ବୋଲି ଲୋକେ କହିଛନ୍ତି।ଏହି ପଦକ୍ଷେପ ପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଧନ୍ୟବାଦ ଜଣାଇଥିବାବେଳେ, ଆଗାମୀ ଦିନରେ ବେଆଇନ ବାଲି ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କଠୋର ଓ ସ୍ଥାୟୀ ପଦକ୍ଷେପ ନିଆଯିବ ବୋଲି ଆଶା ପ୍ରକାଶ କରାଯାଇଛି।

Leave A Reply

Your email address will not be published.