ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି | ୦୭ ଜାନୁଆରୀ, ୨୦୨୬ – ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପାଞ୍ଚ ଦିନିଆ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। ମେଳାର ଅନ୍ତିମ ଦିବସରେ ମାନ୍ୟବର ଜୁନାଗଡ଼ ବିଧାୟିକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଉଦାହରଣ ଦେଇ ସେ ଯୁବପିଢ଼ିଙ୍କୁ କୃଷି କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଉତ୍ସାହିତ କରିଥିଲେ। ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୭୦୦ରୁ ଉର୍ଦ୍ଧ୍ବ କୃଷକ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ମେଳାର ଏହି ୫ ଦିନ ମଧ୍ୟରେ ମୋଟ ୧୧.୧୮ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟ ହୋଇଛି ଯେଉଁଥିରୁ ୧.୯୩ କୋଟି ରିହାତି ମିଳିବ।
ମେଳାର ଶେଷ ଦିନରେ କୃଷି ଏବଂ ଆନୁଷଙ୍ଗିକ ବିଭାଗର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଚାଷୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଶ୍ରୀ ପ୍ରମୋଦ କୁମାର ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଳାହାଣ୍ଡି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜିଲ୍ଲାର କୃଷି ବିକାଶ ରିପୋର୍ଟ ରଖିଥିଲେ।
ଇଂ. ଅଜୟ କୁମାର ମାରାଣ୍ଡି, ନିର୍ବାହୀ ଯନ୍ତ୍ରୀ (କୃଷି), କଳାହାଣ୍ଡି ଡିଭିଜନ: ବିଭିନ୍ନ କୃଷି ଯନ୍ତ୍ରପାତି ଏବଂ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ରିହାତିର ଶୈଳୀ ବିଷୟରେ ବୁଝାଇଥିଲେ। ଡ. ମଧୁମିତା ସିଂ, ସହକାରୀ ପ୍ରଫେସର, କୃଷି ମହାବିଦ୍ୟାଳୟ, ଭବାନୀପାଟଣା ଆଧୁନିକ କୃଷି କିପରି ଏକ “ନୂତନ ଦିଗନ୍ତ” ସାଜିପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ଅନନ୍ତ ନାରାୟଣ ପଣ୍ଡା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଉଦ୍ୟାନ କୃଷି ଯୋଜନା ବିଷୟରେ ସୂଚନା ଦେଇଥିଲେ। ଶ୍ରୀଯୁକ୍ତ ନିରଦ କୁମାର କହଁର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପଶୁପାଳନ ଓ ପ୍ରାଣୀ ସମ୍ପଦ ଯୋଜନା ବିଷୟରେ ଅବଗତ କରାଇଥିଲେ। ଶ୍ରୀଯୁକ୍ତ ବିପିନ ବିହାରୀ ଦୀପ, ବିଡ଼ିଓ, ନର୍ଲା କୃଷି କେବଳ ଏକ ପେଷା ନୁହେଁ, ବରଂ ଜୀବନଶୈଳୀ ଏବଂ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ ବୋଲି କହିବା ସହ ଚାଷୀଙ୍କୁ ନିଜ ସ୍ୱାର୍ଥ ରକ୍ଷା ପାଇଁ ସଜାଗ ରହିବାକୁ ପ୍ରେରଣା ଦେଇଥିଲେ।
ଶ୍ରୀମତୀ ଏଲିନା ନାୟକ, ଜିଲ୍ଲା ସଂଯୋଜକ, APICOL ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କରେ ବିଶେଷ ତଥ୍ୟ ରଖିଥିଲେ। ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ବେହେରା, ସଭାପତି, DCB ବ୍ୟାଙ୍କ ଏବଂ ଶ୍ରୀ ନୌକେଶ୍ୱର ନାଗ, ଜିଲ୍ଲା କୃଷି ଅଧିକାରୀ, ଧର୍ମଗଡ଼ ମଧ୍ୟ ଏହି ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ଭବାନୀପାଟଣା ବ୍ଲକ କୃଷି ଅଧିକାରୀ ଶ୍ରୀ ସୁଶୀଲ କୁମାର ସେଠୀ ସମସ୍ତ ଅତିଥି, ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ୬୦ଟି ଷ୍ଟଲର ପ୍ରତିନିଧି, ଜିଲ୍ଲାର କୃଷକ ସମାଜ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି ମେଳା କଳାହାଣ୍ଡି ଜିଲ୍ଲାର କୃଷି ଜଗତରେ ଯାନ୍ତ୍ରିକରଣର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କୃଷି ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ସହଯୋଗରେ ମେଳାଟି ଅତି ଶୃଙ୍ଖଳିତ ଭାବେ ସମାପ୍ତ ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post
ଡିଏମଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଡିଜିଟାଲ ସେବା କେନ୍ଦ୍ର ଏବଂ ମାଣ୍ଡିଆ ଛତୁଆ ଉତ୍ପାଦନ କେନ୍ଦ୍ରର ଶୁଭଦ୍ଘାଟନ
Next Post