ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗୁଲୁମି ସେକ୍ସନର ଫରେଷ୍ଟର ଅଶୋକ କୁମାର ନାୟକ

3

ତଲାଶି ବେଳେ ₹୧.୮୦ ଲକ୍ଷ ନଗଦ ଟଙ୍କା ଜବତ

ବଲାଙ୍ଗୀର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) :- ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଧୀନସ୍ଥ ଗୁଲୁମି ସେକ୍ସନର ଫରେଷ୍ଟରଙ୍କୁ ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଲାଞ୍ଚ ନେଉଥିବାବେଳେ ଗିରଫ କରିଛି। ଗଛ କାଠ ପରିବହନ ପାଇଁ ଅନୁମତି ଦେବା ନାମରେ ଜଣେ ଚାଷୀଙ୍କଠାରୁ ₹୧୦,୦୦୦ ଲାଞ୍ଚ ମାଗି ନେଇଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଗିରଫ ଫରେଷ୍ଟରଙ୍କ ପରିଚୟ ଶ୍ରୀ ଅଶୋକ କୁମାର ନାୟକ। ସେ ଜଣେ ଚାଷୀଙ୍କ ନିଜସ୍ୱ ଜମିରୁ କିଛିଦିନ ପୂର୍ବରୁ କାଟାଯାଇଥିବା ଗୋଟିଏ ସାଗୁଆନ ଓ ଗୋଟିଏ ସାଲ ଗଛର କାଠ ପରିବହନ ପାଇଁ ଅନୁମତି ଦେବା ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ରହିଛି। ଭିଜିଲାନ୍ସ ସୂତ୍ର ଅନୁସାରେ, ସମ୍ପୃକ୍ତ ଚାଷୀ ଗଛ କାଠ ପରିବହନ ପାଇଁ ଅନୁମତି ମାଗିବାକୁ ଫରେଷ୍ଟର ଶ୍ରୀ ନାୟକଙ୍କୁ ସମ୍ପର୍କ କରିଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଫରେଷ୍ଟର ₹୧୦,୦୦୦ ଲାଞ୍ଚ ଦାବି କରିବା ସହ ସରକାରୀ ନିୟମ ଅନୁଯାୟୀ ପୂର୍ବାନୁମତି ନ ନେଇ ଗଛ କାଟିଥିବାରୁ ₹୨,୦୦୦ ଜରିମାନା ଲଗାଇଥିଲେ। ଚାଷୀ ଗଛ କାଟିବା ପୂର୍ବରୁ ଅନୁମତି ନେବା ଆବଶ୍ୟକ ବୋଲି ଜାଣିନଥିବାରୁ ଜରିମାନା ରାଶି ଦେବାକୁ ସମ୍ମତ ହୋଇଥିଲେ। କିନ୍ତୁ ଫରେଷ୍ଟର ଲାଞ୍ଚ ଦେବାକୁ ଜୋର ଦେଇ ଧମକ ଦେଇଥିଲେ ଯେ, ଟଙ୍କା ନ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଧନଲୋଭୀ, ଗରିବ ଚାଷୀଙ୍କୁ ତୁଚ୍ଛ ମଣୁଥିବା ଫୋରେଷ୍ଟର ବାବୁଙ୍କ ଅତ୍ୟାଚାରକୁ ସହ୍ୟ କରି ନ ପାରି ଚାଷୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ୦୬.୦୧.୨୦୨୬ ତାରିଖରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ଜାଲ ବିଛାଯାଇଥିଲା ଏବଂ ଫରେଷ୍ଟର ନାୟକବାବୁ ₹୧୦,୦୦୦ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ। ସମସ୍ତ ଲାଞ୍ଚ ଟଙ୍କା ସାକ୍ଷୀମାନଙ୍କ ସାମ୍ନାରେ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କ ଡାହାଣ ହାତର ରାସାୟନିକ ପରୀକ୍ଷା ସକାରାତ୍ମକ ହୋଇଥିଲା, ଯାହା ତାଙ୍କ ଦ୍ୱାରା ଲାଞ୍ଚ ଟଙ୍କା ଧରିବାର ପ୍ରମାଣ ଦେଇଥିଲା। ଜାଲରେ ଫନ୍ଦି ହେଲାପରେ ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀର ସହରସ୍ଥ ତାଙ୍କ ବାସଭବନ ଓ ଗୁଲୁମି ସେକ୍ସନ କାର୍ଯ୍ୟାଳୟରେ ତଲାଶି ହୋଇଥିଲା। ତଲାଶିରେ ₹୧,୮୦,୩୫୦ ନଗଦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ଫରେଷ୍ଟରଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାନ କରାଯାଇଛି। ଏହି ଘଟଣା ସନ୍ଦର୍ଭରେ ସମ୍ବଲପୁର ଭିଜିଲାନ୍ସ ପୋଲିସ ଥାନା କେସ୍ ନଂ–୦୧ (ତା. ୦୫.୦୧.୨୦୨୬) ରୁଜୁ ହୋଇ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ–୨୦୧୮ ର ଧାରା–୭ ଅନୁଯାୟୀ ତଦନ୍ତ ଚାଲିଛି।
ସରକାରୀ ରେକର୍ଡ ଅନୁଯାୟୀ, ଶ୍ରୀ ଅଶୋକ କୁମାର ନାୟକ (ଜନ୍ମ ତାରିଖ–୨୭.୦୬.୧୯୭୨) ୨୦.୦୮.୨୦୦୦ ରେ ଫରେଷ୍ଟ ଗାର୍ଡ ଭାବେ ସରକାରୀ ସେବାରେ ଯୋଗ ଦେଇଥିଲେ। ଅଗଷ୍ଟ–୨୦୧୯ ରେ ସେ ଫରେଷ୍ଟର ପଦବୀକୁ ପଦୋନ୍ନତି ପାଇଥିଲେ ଏବଂ ପ୍ରାୟ ଦୁଇ ଦଶକରୁ ଅଧିକ ସମୟ ଧରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଫରେଷ୍ଟ ସେକ୍ସନରେ କାର୍ଯ୍ୟ କରିଆସୁଥିଲେ।
ଏହି ଘଟଣା ପରେ ସ୍ଥାନୀୟ ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଭାରି ଅସନ୍ତୋଷ ପ୍ରକାଶ ପାଇଛି। ଫରେଷ୍ଟ ବିଭାଗରେ ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଲୋକ ଏକ କଠୋର ଚେତାବନୀ ଭାବେ ଦେଖୁଛନ୍ତି।

Leave A Reply

Your email address will not be published.