କେନ୍ଦୁଝର,ତା୬/୧- ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ମଙ୍ଗଳବାର ଦିନ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚନ୍ଦ୍ରଶେଖର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଯୋଗଦେଇ ଏହି ମେଳା ଚାଷୀଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ ନିଜ ବକ୍ତବ୍ୟ ମାଧ୍ୟମରେ ଚାଷୀଙ୍କୁ ସ୍ଵାବଲମ୍ବୀ ହେବାକୁ ଆହ୍ୱାନ ଜଣାଇଥିଲେ।
ମତ୍ସ୍ୟ ଉପ-ନିର୍ଦ୍ଦେଶକ ପ୍ରମୋଦ କୁମାର ରାଉତ ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଅଧିକାରୀ ରାମଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀମାନେ ଲାଭ ଉଠାଇଲେ ସେମାନଙ୍କର ଆୟ ଦ୍ୱିଗୁଣିତ ହେବା ସହ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ସମୟଶ୍ରୀ ଚାଟାର୍ଜୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗୋ-ପାଳନ କ୍ଷେତ୍ରରେ କୃତିତ୍ୱ ପାଇଁ ତେଲକୋଇ ବ୍ଲକର ଚନ୍ଦନ କୁମାର ପାଲ, ଘୁଷୁରି ପାଳନ କ୍ଷେତ୍ରରେ ସାହାରପଡ଼ା ବ୍ଲକର ଭାନୁମତୀ ମହାନ୍ତ, ମାଛ ଚାଷ ପାଇଁ ଚମ୍ପୁଆ ବ୍ଲକର ଦେବୀ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମାଛ ଜାଆଁଳ ଉତ୍ପାଦନ ପାଇଁ ସଦର ବ୍ଲକର ଜୟନ୍ତ ମହାନ୍ତଙ୍କୁ ୫ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ମେଳାରେ ବିଭିନ୍ନ ବିଭାଗର ମୋଟ ୨୭ଟି ଷ୍ଟଲ୍ ପଡ଼ିଛି। ଖୋଲା ପ୍ରଦର୍ଶନୀରେ ଗାଈ, ଛେଳି, ବତକ, ମଇଁଷି, ପକ୍ଷୀ ଏବଂ ବାୟୋଫ୍ଲକ୍ ମାଛ ଚାଷ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି। ସଭା ପରେ ପ୍ରଥମାର୍ଦ୍ଧରେ ଚାଷୀ ଓ ବୈଜ୍ଞାନିକମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଆଲୋଚନାଚକ୍ରରେ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୟ ଭୂଷଣ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ଲିପ୍ସା ଦାସ, ଉଦ୍ୟାନ କୃଷି ଡିପ୍ଲୋମା ସ୍କୁଲର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ଦାସ, ସାହାରପଡ଼ା ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସୁରଜ କୁମାର ପ୍ରଧାନ ଓ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ସରୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post