୨ୟ ଜାତୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଓଡ଼ିଶାକୁ ଦୁଇଟି ପୁରସ୍କାର

2
  • ନ୍ୟାୟମୂର୍ତ୍ତି ସବିତ୍ରୀ ରଥ ମହିଳା ସିଙ୍ଗଲ୍ସରେ ଚ୍ୟାମ୍ପିଅନ୍

  • ମିକ୍ସଡ୍ ଡବଲ୍ସ ରେ ନ୍ୟାୟମୂର୍ତ୍ତି ସବିତ୍ରୀ ରଥ ଓ ନ୍ୟାୟମୂର୍ତ୍ତି ଭି. ନରସିଂହ ଚ୍ୟାମ୍ପିଅନ୍

ଭୁବନେଶ୍ବର : ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟର ଆୟୋଜନରେ ରାଞ୍ଚୀସ୍ଥିତ ‘ଠାକୁର ବିଶ୍ୱନାଥ ସହଦେଓ’ ଇଣ୍ଡୋର ଷ୍ଟାଡିୟମ୍‌ରେ ଦୁଇଦିନିଆ ୨ୟ ଜାତୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସହ ଦେଶର ୯ଟି ଉଚ୍ଚ ନ୍ୟାୟାଳୟର ୩୧ଜଣ ବିଚାରପତି ଅଂଶଗ୍ରହଣ କରିଥିଲେ।
ଏହି ପ୍ରତିଯୋଗିତାରେ ପୁରୁଷ ସିଙ୍ଗଲ୍ସ,ପୁରୁଷ ଡବଲ୍ସ,ମହିଳା ସିଙ୍ଗଲ୍ସ ଓ ମିକ୍ସଡ୍ ଡବଲ୍ସ,ମୋଟ ୪ଟି ବର୍ଗରେ ମ୍ୟାଚ୍ ଖେଳାଯାଇଥିଲା। ଗତ ୩ ଜାନୁଆରୀ,ଶନିବାର ଦିନ ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ତାରିକ ସିଂହ ଚୌହାନ ଓ ଭାରତୀୟ ମହିଳା ହକି ଦଳର କ୍ୟାପ୍ଟେନ୍ ନିକ୍କି ପ୍ରଧାନ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ କରିଥିଲେ। ରବିବାର ଦିନ ଫାଇନାଲ୍ ମ୍ୟାଚ୍ ସହିତ ଟୁର୍ଣ୍ଣାମେଣ୍ଟର ସମାପନ ହୋଇଥିଲା।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ, ନ୍ୟାୟମୂର୍ତ୍ତି ଭି. ନରସିଂହ ଓ ନ୍ୟାୟମୂର୍ତ୍ତି ଚିତ୍ତରଞ୍ଜନ ଦାଶ, ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମିକ୍ସଡ୍ ଡବଲ୍ସ ଫାଇନାଲ୍‌ରେ ନ୍ୟାୟମୂର୍ତ୍ତି ସବିତ୍ରୀ ରଥ ଓ ନ୍ୟାୟମୂର୍ତ୍ତି ଭି. ନରସିଂହ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ଯୁଗଳକୁ ପରାଜିତ କରି ଚ୍ୟାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲେ। ଏହା ସହିତ ନ୍ୟାୟମୂର୍ତ୍ତି ସବିତ୍ରୀ ରଥ,ମହିଳା ସିଙ୍ଗଲ୍ସରେ ମଧ୍ୟ ଚ୍ୟାମ୍ପିଅନ୍ ହୋଇ ଓଡ଼ିଶାକୁ ଦୁଇଟି ପୁରସ୍କାର ଉପହାର ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବବର୍ଷ ଏହି ଜାତୀୟ ସ୍ତରୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ପ୍ରଥମଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଦ୍ୱାରା ଆୟୋଜିତ ହୋଇଥିଲା।

 

 

Leave A Reply

Your email address will not be published.