ଓଡ଼ଗାଁ,୩୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ଅଞ୍ଚଳର ଏକ ଘରୋଇ ଜାଗାରୁ ସୋମବାର ରାତି ପ୍ରାୟ ୧୦ ବେଳେ ମାଙ୍କଡ଼ା ପଥର କଟା ଯାଉଥିବା ବେଳେ ଜାଗାମାଲିକ ବିରୋଧ କରିବାରୁ ପଥର କଟାଳିଙ୍କ ଆକ୍ରମଣରେ ସେ ଗୁରୁତର ହୋଇ ପଡିଥିବା ଅଭିଯୋଗ ହୋଇଛି । ଜମି ମାଲିକ ରୋହିବାଙ୍କ ଗାଁର ଦିଲ୍ଲେଶ୍ବରପାତ୍ର(୪୫) । ଗୁରୁତର ଦିଲ୍ଲେଶ୍ବରଙ୍କୁ ପ୍ରଥମେ ଓଡ଼ଗାଁ ହସ୍ପିଟାଲ ଅଣାଯାଇଥିବା ବେଳେ ପରେ ନୟାଗଡ଼ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି । ଏନେଇ ଦିଲ୍ଲେଶ୍ବର ପାତ୍ର ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୩୮୮/୨୦୨୫ରେ ଏକ ମାମଲା ରୁଜୁ କରିଥିବା ବେଳେ ପ୍ରତିପକ୍ଷ ରୋହିବାଙ୍କ ବାଘୁଆ ଛକ ଉପେନ୍ଦ୍ର ଦାଶଙ୍କ ତରଫରୁ ଅନ୍ୟ ଏକ ଅଭିଯୋଗ ଓଡ଼ଗାଁ ଥାନାରେ ଦାଖଲ ହୋଇଥିଲା। ଓଡ଼ଗାଁ ପୋଲିସ ୩୮୯/୨୦୨୫ ରେ ଅନ୍ୟ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ଉଭୟଙ୍କ ତରଫରୁ ମେଡିକାଲ ରିପୋର୍ଟ ଦାଖଲ ହେବାପରେ ଦଫା ଲାଗୁ କରିବା ସହିତ ପୋଲିସ୍ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ସୂଚନା ଥାଉକି ରୋହିବାଙ୍କ ଦିଲ୍ଲେଶ୍ବର ପାତ୍ରଙ୍କ ଏକ ଜମିକୁ ସେହି ଗ୍ରାମର ଉପେନ୍ଦ୍ର ଦାଶ ଲିଜ ସୁତ୍ରରେ ନେଇଥିଲେ। ଲିଜ୍ ଅବଧି ସରିଥିବା ବେଳେ ଉପେନ୍ଦ୍ର ଦାଶ ଓ ତାଙ୍କ ପୁଅ ସୌମ୍ୟରଞ୍ଜନ ଦାଶ ଦିଲ୍ଲେଶ୍ବରଙ୍କ ଜାଗାରୁ ଗତକାଲି ରାତିରେ ମାଙ୍କଡ଼ା ପଥର କାଟୁଥିବା ଖବର ପାଇ ଦିଲେଶ୍ବର ପାତ୍ର ଘଟଣା ସ୍ଥଳରେ ପହଁଚି ପଥର କାଟିବା ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଉପେନ୍ଦ୍ର ଦାଶ ଏବଂ ତାଙ୍କ ପୁଅ ସୌମ୍ୟରଞ୍ଜନ ଦାଶ ଦିଲ୍ଲେଶ୍ବରଙ୍କୁ ଆକ୍ରମଣ କରି ପେଟରେ ଏବଂ ବେକରେ ଶାବଳ ମଡାଇବା ସହିତ ଶରୀରର ଅନ୍ୟ ସ୍ଥାନକୁ ଆକ୍ରମଣ କରିଥିଲେ।ଅନ୍ୟପକ୍ଷରେ ଦିଲ୍ଲେଶ୍ବର ପାତ୍ରଙ୍କ ପକ୍ଷରୁ ପ୍ରତି ଆକ୍ରମଣରେ ଉପେନ୍ଦ୍ର ଦାଶଙ୍କ ମୁଣ୍ଡ ଫାଟିଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Prev Post