ଡେରାବିଶ ମହୋତ୍ସବରେ କୋରାନ ପାଠ ଅଭିଯୋଗ,ଥାନାରେ ଏତଲା ଗୋବର ପାଣିରେ ମଞ୍ଚ ହେଲା ପବିତ୍ର ।

0 2

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶ ମହୋତ୍ସବ ମଞ୍ଚରେ ଜଗନ୍ନାଥଙ୍କ ସାମ୍ନାରେ କୋରାନ ପାଠ ହୋଇଥିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ଧାର୍ମିକ ଭାବନାକୁ ଆଘାତ ଲାଗିଥିବା ଅଭିଯୋଗ କରି ଡେରାବିଶର ଦଧିବାମନଜୀଉ ଯୁବକ ସଂଘ ପକ୍ଷରୁ ଡେରାବିଶ ଥାନାରେ ଏକ ଏତଲା ଦାଖଲ କରାଯାଇଛି।ଏତଲାରେ ଉଲ୍ଲେଖ କରାଯାଇଛି ଯେ, ମହୋତ୍ସବ ମଞ୍ଚରେ ଧାର୍ମିକ ଅନୁଷ୍ଠାନ ସମୟରେ ଏପରି କାର୍ଯ୍ୟକ୍ରମ ଆୟୋଜନ ହିନ୍ଦୁ ସମୁଦାୟର ଧାର୍ମିକ ଆସ୍ଥାକୁ ଆଘାତ କରିଛି। ଏହା ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି ଯୁବକ ସଂଘ ପକ୍ଷରୁ କୁହାଯାଇଛି। ଘଟଣାର ନିର୍ପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଘଟଣା ପରେ ମହୋତ୍ସବ ମଞ୍ଚକୁ ଅପବିତ୍ର ହୋଇଥିବା ଅଭିଯୋଗ କରି ଦଧିବାମନଜୀଉ ଯୁବକ ସଂଘ ପକ୍ଷରୁ ଗୋବର ପାଣି ଦ୍ୱାରା ମଞ୍ଚକୁ ପବିତ୍ର କରା ଯାଇଛି। ଏହି କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ।ଏହି ସମ୍ପର୍କରେ ଡେରାବିଶ ଥାନା ପକ୍ଷରୁ କୁହାଯାଇଛି ଯେ, ମିଳିଥିବା ଏତଲା ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ପରିସ୍ଥିତିକୁ ସ୍ଥିର ରଖିବା ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ଏବଂ ସମସ୍ତଙ୍କୁ ଶାନ୍ତି ଓ ସାମ୍ପ୍ରଦାୟିକ ସମନ୍ୱୟ ରଖିବାକୁ ଆହ୍ୱାନ କରାଯାଇଛି।

Leave A Reply

Your email address will not be published.