ଜଙ୍ଗଲ ଅଞ୍ଚଳରେ ଗଢ଼ିଉଠିଛି ବେଆଇନ ବାଲି ଷ୍ଟକୟାର୍ଡ

0 1

ମାଲକାନଗିରି, ୨୯/୧୨/୨୦୨୫:  ବେଆଇନ ବାଲି ମାଫିଆଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ମାଲକାନଗିରି ଜିଲ୍ଲାରେ ବେଆଇନ ବାଲି ଉତ୍ତୋଳନ ଓ ମଜୁତ କାର୍ଯ୍ୟକଳାପ ଅବିରତ ଚାଲିଥିବା ଦେଖିବାକୁ ମିଳୁଛି। ବିଭାଗୀୟ ଅଧିକାରୀମାନଙ୍କ ନଜରରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ବର୍ତ୍ତମାନ ବାଲି ମାଫିଆମାନେ ଜଙ୍ଗଲ ବିଭାଗ ଅଧୀନ ଅଞ୍ଚଳକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳ ଭାବେ ବାଛିନେଇଥିବା ଅଭିଯୋଗ ଉଠିଛି।
ଏପରି ଏକ ଘଟଣା ମାଲକାନଗିରି ଜିଲ୍ଲାର ବାଲିମେଳା ଛକଠାରୁ ନାକାମାମୁଡ଼ିକୁ ଯିବା ରାସ୍ତାରେ ଥିବା ବନ ବିଭାଗ ଅଧୀନ ଅଞ୍ଚଳରେ ଦେଖିବାକୁ ମିଳିଛି। ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱ ବାଲିମେଳା ବନଖଣ୍ଡ ଅଧୀନରେ ଥିବା ବେଳେ କିଛି ଅଞ୍ଚଳ ରେଭେନ୍ୟୁ ଫରେଷ୍ଟ ଅଞ୍ଚଳ ଭାବେ ଚିହ୍ନଟ। ଏହି ଜଙ୍ଗଲ ଅଞ୍ଚଳକୁ ସ୍ଥାନୀୟ କିଛି ବାଲି ମାଫିଆ ଦୀର୍ଘଦିନ ଧରି ଅବୈଧ ଭାବେ ଦଖଲରେ ରଖି ବାଲି ଷ୍ଟକୟାର୍ଡ ରୂପେ ବ୍ୟବହାର କରୁଥିବା ଅଭିଯୋଗ ମିଳିଛି।
ସୂଚନା ଅନୁଯାୟୀ, ଉକ୍ତ ସ୍ଥାନରେ ଦୀର୍ଘ ସମୟ ଧରି ବାଲି ଆଣି ଗଦା କରାଯାଉଥିବା ସହ ସେଠାରୁ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳକୁ ଅଧିକ ଦରରେ ବିକ୍ରି କରାଯାଉଛି। ଏହା ଫଳରେ ସରକାରୀ ରାଜସ୍ୱର କ୍ଷତି ହେବା ସହ ଜଙ୍ଗଲ ଅଞ୍ଚଳର ପରିବେଶ ଓ ପ୍ରାକୃତିକ ସମତୁଳନ ଉପରେ ମଧ୍ୟ କୁ-ପ୍ରଭାବ ପଡ଼ୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏନେଇ ବାଲିମେଳା ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ଲକ୍ଷ୍ମୀତା କହଁରଙ୍କୁ ପଚାରିବାରୁ ସେ ଉକ୍ତ ଘଟଣା ସମ୍ପର୍କରେ ଆବଗତ ନଥିବା କହିଥିଲେ। ତଥାପି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବନପାଳଙ୍କୁ ସେହି ସ୍ଥାନକୁ ପଠାଇ ତଦନ୍ତ କରାଯିବ ବୋଲି କହିଥିବା ସହ ଯଦି କୌଣସି ଅନିୟମିତତା କିମ୍ବା ବେଆଇନ କାର୍ଯ୍ୟକଳାପ ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.