ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) ୨୮/୧୨ :- ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲପାଟି ପେକ୍ସରେ ଚାଷୀମାନେ ଭୟଙ୍କର ଶୋଷଣର ଶିକାର ହେଉଥିବା ଅଭିଯୋଗ ଉଠିଛି। ମୁଣ୍ଡଝାଳ ତୁଣ୍ଡେ ମାରି ଦିନରାତି ପରିଶ୍ରମ କରୁଥିବା ଚାଷୀ ନିଜ ପରିବାରର ପେଟ ପୋଷଣ ଓ ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ ଧାନ ଚାଷ କରୁଥିବା ବେଳେ, ଧାନ ବିକ୍ରୟ ସମୟରେ ପେକ୍ସରେ ହଇରାଣ ହେବାକୁ ପଡ଼ୁଛି।
ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଧାନ କ୍ରୟ ସମୟରେ ପେକ୍ସ ସେକ୍ରେଟାରୀମାନେ ଧାନରେ ଆଦ୍ରତା ଅଛି, ଗୁଡ଼ି, ମାଟି, ପୋଲା, ଅପରିପକ୍ୱ ଧାନ ଥିବା ଭଳି ବିଭିନ୍ନ ବାହାନା କରି ଚାଷୀମାନଙ୍କୁ ହଇରାଣ କରୁଛନ୍ତି। କଟଣୀ–ଛଟଣୀ ନାମରେ ପ୍ରତି କୁଇଣ୍ଟାଲକୁ ୫ ରୁ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ଧାନ କାଟି ନେଉଥିବା ଅଭିଯୋଗ ହେଉଛି।
ମହୁଲପାଟି ପେକ୍ସରେ ଏପରି ହତାଶ ଓ ଦୁଃଖଦ ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ, କେହି ସାମ୍ବାଦିକ ଚାଷୀଭାଇମାନଙ୍କୁ ପ୍ରଶ୍ନ କରିଲେ ସେମାନେ ଭୟଭୀତ ହୋଇ ଚିହିଁକି ଯାଉଥିବା ଦେଖାଯାଉଛି। ଏହା ଚାଷୀମାନଙ୍କ ମନରେ ଗଭୀର ଆତଙ୍କ ଓ ନିରାଶା ସୃଷ୍ଟି କରିଛି। ଅଧିକ ଆଶ୍ଚର୍ଯ୍ୟର କଥା, ରାଜ୍ୟର କୃଷି ମନ୍ତ୍ରୀ ନିଜେ ଏହି ଜିଲ୍ଲାର ହୋଇଥିଲେ ମଧ୍ୟ ଏ ଦିଗରେ କୌଣସି ଖାତିର ହେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କାହାର ଛତ୍ରଛାୟାରେ ରହି ପେକ୍ସ ସେକ୍ରେଟାରୀ ‘ଦାସ ବାବୁ’ ଏପରି ମନମୁଖୀ କାରନାମା କରୁଛନ୍ତି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।
ଚାଷୀମାନେ ରାଜ୍ୟର କୃଷି ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ତୁରନ୍ତ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଚାଷୀଙ୍କ ଅକ୍ଲାନ୍ତ ପରିଶ୍ରମରେ ଉତ୍ପାଦିତ ଧାନ ଫସଲର ଉଚିତ ମୂଲ୍ୟ ମିଳୁ, ଏବଂ ପେକ୍ସରେ ହେଉଥିବା ଅନିୟମିତତା ବନ୍ଦ ହେଉ ବୋଲି ସେମାନେ ଜୋରଦାର ଦାବି ଉଠାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post