ମାଲିକଙ୍କ ଜୀବନ ନେଲା ହାତୀ, କଂସ ମହାରାଜଙ୍କ ନଗର ପରିକ୍ରମା ପାଇଁ ଏବେ ବିକଳ୍ପ ଖୋଜିବାକୁ ପଡ଼ିବ କି?
ବରଗଡ଼: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜଙ୍କ ନଗର ପରିକ୍ରମାର ଏକ ପ୍ରମୁଖ ଆକର୍ଷଣ ହେଉଛି ହାତୀ। ହେଲେ ଚଳିତବର୍ଷ ଧନୁଯାତ୍ରା ପୂର୍ବରୁ ଏହି ହାତୀକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଧନୁଯାତ୍ରାରେ ଘଟିଥିବା ଏକ ମର୍ମନ୍ତୁଦ ଅଘଟଣ ଏବେ ବରଗଡ଼ ଧନୁଯାତ୍ରା ଆୟୋଜକଙ୍କ ଚିନ୍ତା ବଢ଼ାଇଛି।ସୂଚନା ଅନୁସାରେ, ବଙ୍ଗୋମୁଣ୍ଡା ଧନୁଯାତ୍ରାକୁ ଆସିଥିବା ଏକ ହାତୀ ତା’ର ମାଲିକଙ୍କୁ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ମାଲିକଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଉତ୍ତରପ୍ରଦେଶର କଳ୍ପନାଥ ଦୁବେ ବୋଲି ଜଣାପଡ଼ିଛି। ଘଟଣା ପରେ ପୁଲିସ ଓ ବନ ବିଭାଗ ହାତୀ ଉପରେ କଡ଼ା ନଜର ରଖିବା ସହ ତଦନ୍ତ ଚଳାଇଛନ୍ତି।ଏନେଇ ବରଗଡ ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟି ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି ଯେ, ବଙ୍ଗୋମୁଣ୍ଡାରେ ଅଘଟଣ ଘଟାଇଥିବା ହାତୀଟି ହିଁ ବରଗଡ଼ ଧନୁଯାତ୍ରାରେ ସାମିଲ ହୋଇଥାଏ। ବରଗଡ଼ ଆସିବା ପୂର୍ବରୁ ଏହି ହାତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ହେଉଥିବା ଧନୁଯାତ୍ରାରେ ଭାଗ ନେଇଥାଏ। କରୋନା ପୂର୍ବରୁ ଉତ୍ତରପ୍ରଦେଶରୁ ହାତୀ ଆସୁଥିଲେ। ପରେ ସେଠାରୁ ହାତୀ ଆସିବା ବନ୍ଦ ହେବାରୁ ଝାଡ଼ଖଣ୍ଡରେ ରହୁଥିବା ଏହି ହାତୀ ବରଗଡ଼ ଧନୁଯାତ୍ରାରେ ସାମିଲ ହୋଇଆସୁଛି।
ବଙ୍ଗୋମୁଣ୍ଡା ଘଟଣା ନିଶ୍ଚିତ ଭାବେ ଚିନ୍ତାଜନକ। ଏ ସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରାଯିବ ବୋଲି ଶ୍ରୀ ଶତପଥୀ କହିଛନ୍ତି।ଧନୁଯାତ୍ରା ଭଳି ଏକ ବିଶାଳ ଲୋକ ମହୋତ୍ସବରେ ପରମ୍ପରା ଓ ଆକର୍ଷଣ ଯେତିକି ଗୁରୁତ୍ୱପୂର୍ଣ୍ଣ, ଜନସାଧାରଣଙ୍କ ସୁରକ୍ଷା ମଧ୍ୟ ସେତିକି ଜରୁରୀ। ତେଣୁ ବନ ବିଭାଗର ଅନୁମତି, ହାତୀର ସ୍ୱାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଏବେ ଅପେକ୍ଷାର ବିଷୟ।