-
୧୦୦ଦିନ ବଦଳରେ ମିଳିବ ୧୨୫ ଦିନର କାମ,
-
ସ୍ବୟଂ ଚାଳିତ ଭାବେ ବେକାରୀ ଭତ୍ତା ପ୍ରଦାନ,
-
୪ ପ୍ରମୁଖ ବର୍ଗର କାର୍ଯ୍ୟକୁ ଗୁରୁତ୍ୱ,
ଓଡ଼ଗାଁ,୨୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ସଂସଦ ଦ୍ବାରା ଗୃହିତ ବିକ୍ଷିତ ଭାରତ-ରୋଜଗାର ଏବଂ ଆଜିବିକା ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) ଭିବି-ଜି ଆରଏଏମ ଜି ଆଇନ ୨୦୨୫ ଅନୁସାରେ ଦେଶର ଗ୍ରାମୀଣ ପରିବାରଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ପ୍ରତି ପଞ୍ଚାୟତରେ ଗତ ୨୪ ତାରିଖ ବୁଧବାର ଅନୁଷ୍ଠିତ ଗ୍ରାମସଭାରେ ଆଲୋଚନା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇଛି। ତେବେ ପରବର୍ତ୍ତୀ ସମୟରେ ଏହାକୁ ଲୋକାଭିମୁଖୀ କରିବା ନିମନ୍ତେ ଯୋଜନା ସମ୍ବନ୍ଧରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ପୂର୍ବ ଆଇନରେ ମନରେଗା ଯୋଜନା ପାଇଁ ଅନେକ ସର୍ତ୍ତ ରହିଥିବାରୁ ବେକାରି ଭତ୍ତା ପାଇବା ଅସମ୍ଭବ ଥିଲା । ବର୍ତ୍ତମାନ ୨୦୨୫ ନୂଆ ଆଇନ ଅନୁଯାୟୀ ଅନେକ ପ୍ରତିବନ୍ଧକକୁ ହଟାଇ ଏହାର ସରଳିକରଣ କରାଯାଇଛି । ଯଦି କାମ ଦାବି କରୁଥିବା ଜବକାର୍ଡଧାରିଙ୍କୁ ନିଯୁକ୍ତି ପ୍ରଦାନ କରାଯାଉନାହିଁ, ତେବେ ବେକାରୀ ଭତ୍ତା ସ୍ବୟଂ ଚାଳିତ ଭାବରେ ପ୍ରଦାନ କରିବାର ବ୍ୟବସ୍ଥା ଏଥିରେ ରହିଛି। ୧୦୦ଦିନ ପରିବର୍ତ୍ତେ ପ୍ରତି ପରିବାରକୁ ୧୨୫ ଦିନର ନିଯୁକ୍ତି ଗ୍ୟାରେଣ୍ଟି ରହିଥିବା ବେଳେ ସ୍ବଚ୍ଛତା ପାଇଁ ମଜୁରୀ ପ୍ରଦାନରେ ବିଳମ୍ବ ହେବ ନାହିଁ । ଏବଂ ଶ୍ରମିକଙ୍କୁ ବିଳମ୍ବିତ ମଜୁରି ପ୍ରଦାନ ପାଇଁ ସୁଧ ଦେବାକୁ ପଡ଼ିବ । ଜଳ ସୁରକ୍ଷା ଏବଂ ସଂରକ୍ଷଣ, ଗ୍ରାମୀଣ ଭିତ୍ତିଭୂମି ସହିତ ଜଡ଼ିତ କାର୍ଯ୍ୟ, ଜୀବିକା ବୃଦ୍ଧି କାର୍ଯ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରତିକୂଳ ପରିସ୍ଥିତିର ସମାଧାନ କରିବା କାର୍ଯ୍ୟକୁ ଏହି ୪ କ୍ଷେତ୍ର ମିଳିତ ଭାବରେ ବିକାଶ, ସଶକ୍ତିକରଣ, ଅଭିସରଣ ଏବଂ ସ୍ଥାୟୀ ଜୀବିକାର ମୂଳଦୁଆ ହେବ। ବିଭାଗ ଗୁଡ଼ିକର ସମନ୍ଵୟ ଏବଂ ସ୍ବଚ୍ଛତା, କୃଷି-ଶ୍ରମିକ ସମନ୍ବୟ, ପ୍ରଶାସନିକ ଖର୍ଚ୍ଚ ସୀମା ବୃଦ୍ଧି ଇତ୍ୟାଦି ସୁବିଧା ଗୁଡ଼ିକ ଶ୍ରମିକ ଏବଂ ଚାଷୀମାନେ ଗ୍ରାମ ପଞ୍ଚାୟତରୁ ହାସଲ କରିପାରିବେ।