କେନ୍ଦୁଝର, ୨୪ ଡିସେମ୍ବର ୨୦୨୫: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଆଜି ଷଷ୍ଠ ଜିଲ୍ଲା ପରିଷଦର ନବମ ଅଧିବେଶନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଘଷିପୁରା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ଼, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଆନନ୍ଦପୁର ବିଧାୟକ ଶ୍ରୀ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀ ସୋମନାଥ ଦାସ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅନୁବ୍ରତ ବେହେରା ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗାଭୂଷଣ ଉପସ୍ଥିତ ରହି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
ପୂର୍ବ ବୈଠକର ବିବରଣୀ ଉପରେ ଆଲୋକପାତ କରାଯାଇ ସଭା ଆରମ୍ଭ କରାଯାଇଥିବା ବେଳେ ପରେ ପରେ ଖଣି ଅଧିକାରୀ ଜିଲ୍ଲାର ଖଣି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ପରେ ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇ ସେଗୁଡିକ ଅନୁମୋଦନ କରାଯାଇଥିଲା। ପରିବେଶ ସୁରକ୍ଷା ପାଇଁ ମନରେଗା ଯୋଜନାରେ ବୃକ୍ଷରୋପଣ ଲକ୍ଷ୍ୟ ରଖାଯାଇଛି। ବୈତରଣୀ ନଦୀ କୂଳରେ ୧୦୦୦ ଚାରା ଏବଂ ସହରୀ ନବୀକରଣ ଯୋଜନାରେ ୭୦୦୦ ବୃକ୍ଷରୋପଣ କରାଯାଇଛି। ଏଥିସହ ଜିଲ୍ଲାର ୪ଟି ପ୍ରମୁଖ ନଦୀର ଜଳ ଗୁଣବତ୍ତା ନିୟମିତ ପରୀକ୍ଷଣ କରାଯାଉଛି।
ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ୩୨.୦୧ କୋଟି ଟଙ୍କାର ଅନୁଦାନ ବିନିଯୋଗ କରାଯାଇଛି। ଘଟଗାଁ ଅଞ୍ଚଳରେ ୫ଟି ପ୍ରକଳ୍ପ ପାଇଁ ୧୦.୩୭ କୋଟି ଟଙ୍କାର ପ୍ରଶାସନିକ ଅନୁମୋଦନ ମିଳିଛି। ବାଂଶପାଳ ଓ ଅନ୍ୟ ୭ଟି ବ୍ଲକରେ ଜନଜାତିଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ପିଏମ୍-ଜନମନ ଓ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଭଳି ଯୋଜନା କାର୍ଯ୍ୟକାରୀ ହେଉଛି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ମାତୃ ମୃତ୍ୟୁହାର ରୋକିବା ପାଇଁ ଅପହଞ୍ଚ ଅଞ୍ଚଳରେ ‘ବାଇକ ଆମ୍ବୁଲାନ୍ସ’ ସେବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାର ୧୧ଟି ଘରୋଇ ଚିକିତ୍ସାଳୟ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଶିକ୍ଷା କ୍ଷେତ୍ରରେ ୧୩ଟି ବ୍ଲକରେ ୧୩ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୬୩୭ଟି ବିଦ୍ୟାଳୟର ୨,୧୫,୪୪୬ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ସୁବିଧା ଯୋଗାଇ ଦିଆଯାଉଛି। ୫ଟି ନୂତନ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’କୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।
ପରିଶେଷରେ ଜିଲ୍ଲାର ପ୍ରଗତି ପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.