ମନରେଗା ନାମ ପରିବର୍ତ୍ତନ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ: ପୁରୀରେ କଂଗ୍ରେସର ନିରବ ପ୍ରତିବାଦ

0 2

ପୁରୀ (ଅନିମେଶ ପଟ୍ଟନାୟକ): କେନ୍ଦ୍ର ସରକାର ମନରେଗାର ନାମ ପରିବର୍ତ୍ତନ କରି ଏହାର ମୂଳ ଆତ୍ମା, ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାକୁ ଦୁର୍ବଳ କରୁଛନ୍ତି। ଏହା କେବଳ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ନୁହେଁ, ବରଂ ଶ୍ରମିକ, ଆଦିବାସୀ, ଦଳିତ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗଙ୍କ ସହ ଏକ ପ୍ରକାର ବିଶ୍ୱାସଘାତକତା । ମନରେଗା ଯୋଜନାର ନାମ ପରିବର୍ତ୍ତନକୁ ବିରୋଧ କରି ସୋମବାର ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁରୀ ଗାନ୍ଧୀ ସ୍ମୃତି ପିଠରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଏକ ନିରବ ପ୍ରାର୍ଥନା ଓ ଧାରଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମ ପରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକପତ୍ରରେ କଂଗ୍ରେସ ପକ୍ଷରୁ ମନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ପରିବର୍ତ୍ତନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସମୟରେ ପ୍ରଚଳିତ ହୋଇଥିବା “ମହାତ୍ମା ଗାନ୍ଧୀ ନିଶ୍ଚିତ ରୋଜଗାର ଯୋଜନା (ମନରେଗା)” ଗ୍ରାମୀଣ ଭାରତର ଅର୍ଥନୀତିକୁ ସୁଦୃଢ଼ କରିଥିଲା। ଏହି ଆଇନ୍ ମାଧ୍ୟମରେ ଗ୍ରାମାଞ୍ଚଳର ଲକ୍ଷାଧିକ ଲୋକ କାମ ବଦଳରେ ନିଶ୍ଚିତ ଆୟର ପାଇଥିଲେ ବୋଲି କଂଗ୍ରେସ ଜିଲ୍ଲା ସଭାପତି ରାଜେଶ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସ୍ମାରକପତ୍ରରେ ‘ଭିବି–ଜି–ରାମ–ଜୀ’ ନାମକରଣକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ଆଜିର କାର୍ଯ୍ୟକ୍ରମ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ଏଥିରେ ବରିଷ୍ଠ କଂଗ୍ରେସ ନେତା ବିଶ୍ବଭୂଷଣ ଦାସ, ଉତ୍ତମ ଆଚାର୍ଯ୍ୟ, ଜୟନାରାୟଣ ପଟ୍ଟନାୟକ, ବିନାୟକ ଦାସମହାପାତ୍ର, ପିସିସି ସଂପାଦିକା ତଥା ପୁରୀ ଜିଲ୍ଲା ପ୍ରଭାରୀ ଶିଳ୍ପିଶ୍ରୀ ହରିଚନ୍ଦନ, ସରସ୍ବତୀ ପାତ୍ର, ବିଶ୍ଵନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ଅମରେନ୍ଦ୍ର ପାଇକରାୟ, ଭାସ୍କର ସେଠ, ନିର୍ମଳ ସାମନ୍ତରାୟ, କାଳୀ ପ୍ରସାଦ ନାୟକ, ଆଶୁତୋଷ ମିଶ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ରଜତ କୁମାର ସାହୁ, ଅମିୟ କୁମାର ମହାପାତ୍ର, ଗୁଣନିଧି ପ୍ରଧାନ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.