ସିଟିଟିସିର ୨୦ଜଣ ତାଲିମଧାରୀଙ୍କୁ ପୁଣେରେ ନିଯୁକ୍ତି

0 2

କେନ୍ଦୁଝର,ତା୨୦/୧୨-କେନ୍ଦୁଝରସ୍ଥିତ କେନ୍ଦ୍ରୀୟ ଟୁଲ୍ ରୁମ୍ ଏବଂ ଟ୍ରେନିଂ ସେଣ୍ଟର (CTTC), ସମ୍ପ୍ରସାରଣ କେନ୍ଦ୍ରର ୨୦ ଜଣ ଯୁବ ପ୍ରଶିକ୍ଷାର୍ଥୀ ପୁଣେରେ ଚାକିରି ପାଇଛନ୍ତି। ଏହି ସଫଳତା ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ-ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ପ୍ରଶିକ୍ଷାର୍ଥୀମାନେ ଭାରତ ସରକାରଙ୍କ ସୂକ୍ଷ୍ମ, ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନସ୍ଥ CTTC, କେନ୍ଦୁଝରରେ “ସିନିୟର ଟେକ୍ନିସିଆନ୍ ମେସିନ୍ ରକ୍ଷଣାବେକ୍ଷଣ ଏବଂ ସ୍ଵୟଂଚାଳନା” ବିଷୟରେ ୪୮୦ ଘଣ୍ଟିଆ ଶିଳ୍ପମୁଖୀ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଅକ୍ଟୋବରରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିଥିଲା। ସମସ୍ତ ୨୦ ଜଣ ପ୍ରଶିକ୍ଷାର୍ଥୀ ୧୦୦ ପ୍ରତିଶତ ନିଯୁକ୍ତି ହାସଲ କରି ମହାରାଷ୍ଟ୍ରର ପୁଣେ ସ୍ଥିତ ମେସର୍ସ ଜୋନ୍ ଧୀର୍ ପ୍ରାଇଭେଟ୍ ଲିମିଟେଡ୍‌ରେ ଡିପ୍ଲୋମା ଇଞ୍ଜିନିୟର ଟ୍ରେନି (DET) ଭାବେ ୯ ଜାନୁଆରୀ ୨୦୨୬ ଠାରୁ କାର୍ଯ୍ୟରେ ଯୋଗ ଦେବେ।

ଅଭିନନ୍ଦନ ଜଣାଇ ସିଡିଓ ଶ୍ରୀ ନାଗଭୂଷଣ କହିଥିଲେ ଯେ ବର୍ତ୍ତମାନ ସମୟ ହେଉଛି କୌଶଳର ଯୁଗ ଏବଂ ପ୍ରଶିକ୍ଷଣ ମାଧ୍ୟମରେ ଯୁବକ ଯୁବତୀମାନେ ଏହି କୌଶଳ ହାସଲ କରିଛନ୍ତି। ମିଳିଥିବା ସୁଯୋଗକୁ ସଠିକ୍ ଭାବେ ବ୍ୟବହାର କରି ଅଧିକ ଅନୁଭବ ଅର୍ଜନ କରି ଜୀବନକୁ ଆହୁରି ସୁନ୍ଦର କରିବାକୁ ସେ ଉପଦେଶ ଦେଇଥିଲେ। ସେ CTTCର କୌଶଳଭିତ୍ତିକ ପ୍ରଶିକ୍ଷଣ ମାଧ୍ୟମରେ ଯୁବକମାନଙ୍କୁ ନିଯୁକ୍ତିଯୋଗ୍ୟ କରାଉଥିବା ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡିଏସ୍‌ଡିଇଓ ଶ୍ରୀ ଗଣେଶ୍ୱର ନାୟକ, ଏସ୍‌ଡିଇଓ ଶ୍ରୀମତୀ ସୁଧା ଓରାମ, ଟ୍ରେନିଂ ଇନ୍‌ଚାର୍ଜ ଶ୍ରୀ ପବିତ୍ର ମୋହନ ବେହେରା, CMSDF ଶ୍ରୀ ଅଭିଷେକ୍ ଚକ୍ର ଓ ଯୁବ ପ୍ରଫେସନାଲ୍ ଶ୍ରୀ ବିଶାଲ୍ ଜୈସ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.