ଭାରତୀୟ ସାମ୍ଭାବ୍ୟ ୧୭ ବର୍ଷରୁ କମ ମହିଳା ଫୁଟବଲ ଦଳରେ ସ୍ଥାନ ପାଇଲେ ଆକାଶି

2

କେନ୍ଦୁଝର,ତା୧୯/୧୨- କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍ତିର ଗୋଲଡେନ ଗାର୍ଲ ଆକାଶି ନାଏକ ଭାରତୀୟ ସାମ୍ଭାବ୍ୟ ୧୭ ବର୍ଷରୁ କମ ମହିଳା ଦଳରେ ଓଡିଶାରୁ ଏକ ମାତ୍ର ଖେଳାଳି ଭାବେ ସ୍ଥାନ ପାଇ କେନ୍ଦୁଝର ଜିଲ୍ଲା ସହ ସମଗ୍ର ରାଜ୍ୟକୁ ଗୌରାବାନ୍ୱିତ କରିଛନ୍ତି l ଆକାଶି ଏହି କ୍ୟାମ୍ପରେ ଯୋଗ ଦେବା ପାଇଁ ବାଙ୍ଗାଲୋରର ହାରୋହଲ୍ଲୀ ଅଭିମୁଖେ ଯାତ୍ରା କରିଥିବାର ଜଣାଯାଇଛି l ଏହି କ୍ୟାମ୍ପରୁ ସାଫ ଗେମ୍ସ ଏବଂ ଏଏଫସି କମ୍ପିଟିସନ ପାଇଁ ୧୭ ବର୍ଷରୁ କମ ମହିଳା ଭାରତୀୟ ଦଳ ଚୟନ କରାଯିବ ବୋଲି ଜଣାଯାଇଛି l ଗ୍ରାମାଞ୍ଚଳର ଏହି ଲୁକ୍କାୟିତ କ୍ରୀଡା ପ୍ରତିଭାକୁ ଚିହ୍ନଟ କରି ଜିନ୍ଦଲ ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ କୋଚ କୃଷ୍ଣ ଚନ୍ଦ୍ର ମହାନ୍ତ ତାଙ୍କୁ ପ୍ରଥମେ ୨୦୨୦ ମସିହାରେ ଜଜାଙ୍ଗର ଜେଏସଡବ୍ଲୁକୁ ଆଣି ଫୁଟବଲ ଖେଳ ପ୍ରଶିକ୍ଷଣ ଦେଇଥିଲେ l ପରେ ସେ ନିଜର ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ନିଜର ଖେଳରେ ବହୁତ କିଛି ଉନ୍ନତି ଆଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ୨୦୨୨ରେ ସୁନ୍ଦରଗଡ଼ରେ ଅବସ୍ଥିତ ରାଜ୍ୟ କ୍ରୀଡା ଛାତ୍ରାବାସରେ ଯୋଗଦାନ କରି ନିଜର ଖେଳରେ ଅନେକଟା ଉନ୍ନତି ଆଣିଥିଲେ। ଆକାଶି ୨୦୨୩ରେ ସବ୍ ଜୁନିଅର ନ୍ୟାସନାଲରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବାର ପ୍ରଥମ ସୁଯୋଗ ପାଇଥିବା ବେଳେ ୨୦୨୪ ଏବଂ ୨୦୨୫ରେ ଜୁନିଅର ନ୍ୟାସନାଲରେ ରାଜ୍ୟ ଦଳକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ଭାରତୀୟ ସାମ୍ଭାବ୍ୟ ୧୭ ବର୍ଷରୁ କମ ମହିଳା ଶିବିରରେ ଯୋଗ ଦେବାକୁ ଯାଉଥିବା ଆକାଶିଙ୍କୁ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l

Leave A Reply

Your email address will not be published.