ବିବାଦୀୟ ସ୍ଥାନରେ ମାଟି ନପକାଇ ନିର୍ମାଣ ନକରିବାକୁ ଭାଲିଆଡିହି ଗ୍ରାମବାସୀଙ୍କୁ ତହସିଲଦାରଙ୍କ ସତର୍କ ନୋଟିସ୍,

2


ଓଡ଼ଗାଁ,୧୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଛକ ଠାରୁ ସୁନାମୁହିଁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପାଣ୍ଡେରିପଡା ପଞ୍ଚାୟତ ଦେଓଗାଁ ଶ୍ମଶାନ ଓ ବିଦ୍ୟାଳୟ ପରିସର ବିବାଦୀୟ ପ୍ଳଟ ଉପରେ ଭାଲିଆଡିହି ଗ୍ରାମବାସୀ ବେଆଇନ୍ ଭାବେ ମାଟି ପକାଇଥିବା ଘଟଣାରେ ଭାଲିଆଡିହି ଗ୍ରାମବାସୀଙ୍କ ନିକଟକୁ ଓଡ଼ଗାଁ ତହସିଲଦାରଙ୍କ କାର୍ଯ୍ୟାଳୟରୁ ପତ୍ର ସଂଖ୍ୟା ୭୧୩୨ ମାଧ୍ୟମରେ ପୁନର୍ବାର ଯଦି ଭାଲିଆଡିହି ଗ୍ରାମବାସୀ ଉକ୍ତ ବିବାଦୀୟ ସ୍ଥାନରେ ମାଟି ପକାନ୍ତି କିମ୍ବା କୌଣସି ନିର୍ମାଣ କାର୍ଯ୍ୟ କରନ୍ତି ତେବେ ଗ୍ରାମର ସଭାପତି ଓ ସମ୍ପାଦକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ନୋଟିସ ଜାରି ହୋଇଥିବା ବେଳେ ଏ ସମ୍ପର୍କରେ ଓଡ଼ଗାଁ ଥାନା ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଛି । ଏତଦବ୍ୟତୀତ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗ କରାଗଲେ ଉକ୍ତ ରାସ୍ତା ବିବାଦର ପରିସମାପ୍ତି ଘଟିବ ବୋଲି ଓଡ଼ଗାଁ ତହସିଲଦାର ତଦନ୍ତରେ ଦର୍ଶାଇ ତାହା ନୟାଗଡ଼ ଉପଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରିଛନ୍ତି। ସୂଚନା ଥାଉକି ଭାଲିଆଡିହି ଗ୍ରାମବାସୀ ବିବାଦୀୟ ରାସ୍ତାରେ ବେଆଇନ ଭାବେ ମାଟି ପକାଇବା ଘଟଣାକୁ ବିରୋଧ କରି ଦେଓଗାଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ତା.୩.୧୧.୨୦୨୫ ରିଖରେ ଗଣଧାରଣା ଦେଇଥିଲେ। ଏବଂ ନୟାଗଡ଼ ଉପଜିଲ୍ଲାପାଳ ଉକ୍ତ ଘଟଣାକୁ ଅନୁଧ୍ଯାନ କଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହୃତ କରିଥିଲେ। ବେଆଇନ ମାଟି ପକାଇଥିବା ସ୍ଥାନକୁ ଓଡ଼ଗାଁ ତହସିଲଦାର,ରାଜସ୍ବ ନିରୀକ୍ଷକ, ଓଡ଼ଗାଁ ଥାନା ଅଧିକାରୀ ଯାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ତହସିଲଦାର ଓଡ଼ଗାଁଙ୍କୁ ନିଜନିଜର ରିପୋର୍ଟ ପ୍ରଦାନ କରିଥିଲେ।

Leave A Reply

Your email address will not be published.