ମଦ୍ୟପାନ କରି କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ଡ଼ାକ୍ତର ନିଲମ୍ବିତ

3

 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମଦ୍ୟପାନ କରିବା ସହିତ ନିଜ କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜନୈକ ଡ଼ାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଲମ୍ବନ କରାଯାଇଛି I ନିଲମ୍ବିତ ଡାକ୍ତର ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଗୌରଭ କୁମାର ଉପାଧ୍ୟାୟ I ସୂଚନା ପ୍ରକାରେ ଗତ ନଭେମ୍ବର ମାସରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେଠାରେ ଡାକ୍ତରଙ୍କ ସ୍ଥାନରେ ଜଣେ ସ୍ୱାସ୍ଥ୍ୟ କର୍ମୀ ବସି ରୋଗୀ ଦେଖୁଥିବା ବେଳେ ଦାୟିତ୍ୱରେ ଥିବା ଡ଼ାକ୍ତର ଗୌରଭ କୁମାର ଉପାଧ୍ୟାୟ ମଦ୍ୟପାନ କରି କ୍ୱାର୍ଟର୍ ରେ ଶୋଇଥିବା ଜାଣିବାକୁ ପାଇଥିଲେ I ଏନେଇ ବିଧାୟକ ଶ୍ରୀ ବିଷୋୟୀ ଡ଼ାକ୍ତର ଉପାଧ୍ୟାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ମନ୍ତ୍ରୀ, ଗଞ୍ଜାମ ଜିଲ୍ଳାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବି କରିଥିଲେ I ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସୀତାଂଶୁ ଶେଖର ଶତପଥି ଘଟଣାର ତଦନ୍ତ ଭାର ନେଇଥିବା ବେଳେ ସେହି ତଦନ୍ତକୁ ଭିତ୍ତିକରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡ଼ାକ୍ତର ଉପାଧ୍ୟାୟଙ୍କୁ ନିଲମ୍ବନ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି I ବିଧାୟକ ଶ୍ରୀ ବିଷୋୟୀ ଏହି କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି I ଏହି ଅବସରରେ ବିଧାୟକ ଶ୍ରୀ ବିଷୋୟୀ ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ ସରକାରଙ୍କ ଠାରୁ ଉଚ୍ଚ ବେତନ ପାଇ ନିଜ କର୍ତ୍ତବ୍ୟରେ ଅବହେଳା କରିବା ଏକ ଧର୍ତ୍ତବ୍ୟ ଅପରାଧ I ତେଣୁ ସେହିଭଳି ଅପାରଗ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ I ଖୁବ୍ ଶୀଘ୍ର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତର ନିଯୁକ୍ତି ପାଇଁ ପ୍ରୟାସ କରିବି ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.