ଘରୋଇ ହିଂସା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଚାରି ଅଭିଯୁକ୍ତ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାହା ହେବାର ସ୍ୱପ୍ନ ଦେଖାଇ ପ୍ରେମ ସମ୍ପର୍କ ଆରମ୍ଭ କରି ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରି ପ୍ରତାରଣା କରିବା ସହ ଗ୍ରାମବାସୀଙ୍କ ଚାପରେ ସ୍ତ୍ରୀ ଭାବେ ଗ୍ରହଣ କରିବା ପରେ ଉକ୍ତ ସ୍ତ୍ରୀଙ୍କୁ ଅତ୍ୟାଚାର କରିବା ଭଳି ଏକ ଜଟିଳ ମାମଲା ଗତବର୍ଷ ଅକ୍ଟୋବର ମାସରେ ଆର. ଉଦୟଗିରି ଥାନା ଅଧିନରେ ପଞ୍ଜିକୃତ ହୋଇଥିଲା ; ଯେଉଁ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ଆର. ଉଦୟଗିରିର ସିନିୟର ସିଭିଲ ଜଜ୍ ତଥା ଜେଏମ୍ଏଫସି ସୌଦାମିନୀ ବିଶ୍ୱାଳ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୪୯୮କ/୩୪ (ସଂଘବଦ୍ଧ ଭାବେ ଗୃହିଣୀଙ୍କୁ ଅତ୍ୟାଚାର କରିବା) ଅପରାଧରେ ଗଙ୍ଗାପୁର ଗ୍ରାମର ପ୍ରଶାନ୍ତ ନାୟକ(ସ୍ୱାମୀ) , ସୁଲୋଚନା ନାୟକ (ଶାଶୁ) , ପ୍ରତିମା ନାୟକ(ଯାଆ) ଓ କୃଷ୍ଣଚନ୍ଦ୍ର ନାୟକ (ଦେଢଶୁର)ଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଅଭିଯୁକ୍ତଙ୍କୁ ଏ ଭଳି କାର୍ଯ୍ୟରୁ ଭବିଷ୍ୟତରେ ନିବୃତ୍ତ ରହିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ହରିକୃଷ୍ଣ ପ୍ରଧାନ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ , ଆର ଉଦୟଗିରି ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ଏତଲାକାରିଣୀ ଲୀଳା ପାଇକଙ୍କୁ ସେହି ଗ୍ରାମର ପ୍ରଶାନ୍ତ ନାୟକ ପ୍ରେମ ନିବେଦନ କରିଆସୁଥିଲେ। ପରେ ବାହା ହେବାର ଆଶା ଦେଖାଇ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିବା ସତ୍ତ୍ୱେ ସ୍ତ୍ରୀ ଭାବେ ଗ୍ରହଣ କରିବା ନିମନ୍ତେ ଅରାଜି ହୋଇଥିଲେ। କିନ୍ତୁ ଗାଁ କମିଟିର ହସ୍ତକ୍ଷେପ ପରେ ଅଭିଯୁକ୍ତ ଲୀଳା ପାଇକଙ୍କୁ ନିଜ ସ୍ତ୍ରୀ ଭାବେ ଗ୍ରହଣ କରି ରଖିଥିଲେ। ଲୀଳା ପାଇକ ଗର୍ଭବତୀ ଥିବା ସମୟରେ ପ୍ରଶାନ୍ତ ତଥା ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ଅତ୍ୟାଚାର କରୁଥିଲେ। ପରେ ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ। କିନ୍ତୁ ତା ପରେ ବି ଅଭିଯୁକ୍ତମାନେ ଏତଲାକାରିଣୀଙ୍କୁ ଅତ୍ୟାଚାର କରିଥିଲେ , ଯାହା ଫଳରେ ତାଙ୍କର ଶିଶୁର ଦେହ ଖରାପ ହୋଇ ତାର ମୃତ୍ୟୁ ହୋଇଥିଲା। ଏହାପରେ ମଧ୍ୟ ଅଭିଯୁକ୍ତମାନେ ଆହୁରି ଅତ୍ୟାଚାର ତଥା ଜୀବନରେ ମାରିବାକୁ ଧମକ ଦେବାରୁ କିଛି ଉପାୟ ନ ପାଇ ଶେଷରେ ଏହି ଘଟଣାକୁ ନେଇ ଆର. ଉଦୟଗିରି ଥାନାରେ ମାମଲା ନମ୍ବର ୧୫୨ରେ ଏକ ମାମଲା ତା ୧୬-୧୦-୨୦୨୪ରିଖରେ ଏତଲାକାରିଣୀ ରୁଜୁ କରିଥିଲେ ଏବଂ ସବ-ଇନ୍ସପେକ୍ଟର ସ୍ୱପ୍ନାରାଣୀ ବେହେରା ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ୧୭ଜଣ ସାକ୍ଷୀଙ୍କ ବୟାନ ତଥା ଦସ୍ତାବିଜକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଦ୍ବୟଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରି ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ଚେତାବନୀ ଦେଇଥିଲେ।

Leave A Reply

Your email address will not be published.