ବିଜେପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଗ୍ରାମରେ ଶୋକର ଛାୟା

3

 ବିଜେପୁର :— ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାମପାଲି ଗ୍ରାମର ଅଙ୍କୁଶ ସାହୁ (୨୮), ପିତା ପୁରନ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଅଙ୍କୁଶ ସାହୁ ଲାଉମୁଣ୍ଡା ଧାନମଣ୍ଡିରେ କାମ ସାରି ବାଇକ୍‌ରେ ଘରକୁ ଫେରୁଥିଲେ। କିନ୍ତୁ ରାତି ହେବା ସତ୍ତ୍ୱେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ୍ କରିଥିଲେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିଲା। ଏହା ପରେ ପରିବାର ଲୋକେ ରାତି ସାରା ତାଙ୍କୁ ଖୋଜାଖୋଜି କରୁଥିଲେ।ରାତ୍ରି ପ୍ରାୟ ୨ଟା ସମୟରେ ଲାଉମୁଣ୍ଡା ମହେଶ୍ୱରୀ ମନ୍ଦିର ନିକଟରେ ଅଙ୍କୁଶ ସାହୁ ମୁର୍ମୁଷ ଅବସ୍ଥାରେ ପଡିଥିବା ସହ ତାଙ୍କ ଦେହ ଉପରେ ବାଇକ୍ ପଡିଥିବା ଦେଖିଥିଲେ ପରିବାର ଲୋକେ ସାଙ୍ଗେ ସାଙ୍ଗେ ତାଙ୍କୁ ଉଦ୍ଧାର କରି ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ରେଫର କରାଯାଇଥିଲା। କିନ୍ତୁ ବୁର୍ଲାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ମୃତକଙ୍କ ଅଜା ହରିଲାଳ ସାହୁ ବିଜେପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ ଦୁର୍ଘଟଣାର ସଠିକ୍ କାରଣ ସ୍ପଷ୍ଟ ନୁହେଁ ବୋଲି ଉଲ୍ଲେଖ କରାଯାଇଛି—ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି ନା କି ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ତଦନ୍ତ ଦାବି କରାଯାଇଛି। ମୃତକ ଅଙ୍କୁଶ ସାହୁଙ୍କ ଗୋଟିଏ ଝିଅ ମାତ୍ର ସାତ ଦିନର ହୋଇଥିବାବେଳେ ଏହି ଅକାଳ ମୃତ୍ୟୁ ପରିବାରକୁ ଗଭୀର ଶୋକରେ ଡୁବାଇଦେଇଛି। ଘଟଣାର ଖବର ପାଇବା ସହିତ ଜାମପାଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.