ସମନ୍ୱିତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଲାଗି ପ୍ରଥମ ଗ୍ରାମସଭା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ।

3

 ଜମି ହରାଉଥିବା ୧୮ ଜଣଙ୍କ ଭିତରୁ ୬ଜଣ ଆସି ଲିଖିତ ଦାବୀ ଦେଲେ।   

କେନ୍ଦୁଝର,(ଦିଲ୍ଲୀପ  ସାହୁ) ତା୧୨/୧୨- ଆଜି କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ପଞ୍ଚାୟତର ଭୃଙ୍ଗରାଜ ଗ୍ରାମରେ ପୂର୍ବାହ୍ନ ସାଢେ ଦଶଟା ବେଳେ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ପଶି ଖମାର ପାଖ ପଡ଼ିଆରେ ଜମି ଅଧିଗ୍ରହଣ ଲାଗି ଏହି ସଭା ପୋଲିସ ଛାଉଣୀ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଏହି ସଭାରେ ଉପସ୍ଥିତ ଥିବାବେଳେ ସ୍ଥାନୀୟ ସରପଞ୍ଚ ଅଧ୍ୟକ୍ଷତା କରିଥିଲେ, ଜିଲ୍ଲାର ଅନେକ ଅଧିକାରୀ ପୋଲିସ ସହ ଉପସ୍ଥିତ ଥିଲେ। ତିନିଶହ ପାଖାପାଖି ଜନସାଧାରଣ ମଧ୍ୟ ଉପସ୍ଥିତ ଥିବାର ଦେଖାଯାଇଥିଲା। ସୂଚନା ମିଳିଛି କି ପୋସ୍କୋ ଓ ଜେଏସଡବ୍ଲ୍ୟୁ କମ୍ପାନୀର ପ୍ରସ୍ତାବିତ ଯୌଥ ଉଦ୍ୟୋଗରେ ପ୍ରତିଷ୍ଠା ହେଵାକୁ ଥିବା ଏହି ଇସ୍ପାତ କାରଖାନା ଲାଗି ମୋଟ ବାରଟି ଗାଁ ଲୋକେ ପ୍ରଭାବିତ ହେବେ। ଆଜି ଗୋଟେ ଗାଁ ଭୃଙ୍ଗରାଜରେ ଏହି ଗ୍ରାମ ସଭା ପ୍ରଥମେ ହୋଇଥିଲା ଏଠାରେ କାହାର ଘରଦ୍ୱାର ଯିବନି ବରଂ ୧୮ଜଣଙ୍କ ୨୯.୬୧ ଏକର ଚାଷ ଜମି ଶିଳ୍ପ ଲାଗି ଅଧିଗ୍ରହଣ ହେବାର ଅଛି ।

ତେବେ ୧୮ ଜଣଙ୍କ ମଧ୍ୟରୁ ଆଜି ୬ଜଣ ପ୍ରଭାବିତ ହେବାକୁ ଥିବା ପ୍ରଜା ଆସି ଏହି ଗ୍ରାମସଭାରେ ଯୋଗଦେଇ ଲିଖିତ ଆକାରରେ ନିଜ ପକ୍ଷ ରଖିଥିଲେ। କ’ଣ ଲେଖିଛନ୍ତି ଜଣା ଯାଇନଥିଲେ ମଧ୍ୟ ସେଠାରେ କିଛି ଲୋକ ଜମିର ଉପଯୁକ୍ତ ମୂଲ୍ୟ, ଲୋକଙ୍କୁ ନିଯୁକ୍ତି ଆଦି ଦାବି ପୂରଣ ହେଲେ ଯାଇ ରାଜି ବୋଲି କହୁଥିବା ଶୁଣାଯାଇଥିଲା। ଅନ୍ୟ ବାର ଜଣ ଆସିଥିଲେ କି ନାହିଁ ଜଣା ଯାଇନି ସେମାନେ କ’ଣ ଚାହୁଁଛନ୍ତି ଜାଣିବାକୁ ଆଗ୍ରହ ପ୍ରକାଶ ପାଇଛି।ତେବେ ଅନ୍ୟାନ୍ୟ ଅଂଚଳରେ ଚାଷ ଜମି ଭିଟାମାଟି ନଛାଡିବାକୁ ଲୋକେ ସତର୍କ ଅଛନ୍ତି ବୋଲି ଆଲୋଚନା ହେଉଥିଲା ଦରକାର ହେଲେ ଗ୍ରାମସଭା ବିଚାର ବିଭାଗ ଅଧିକାରୀ କରି ନ୍ୟାୟ ଦେବେ ବୋଲି ଅନେକ ଆଶା କରିଛନ୍ତି। ତେବେ ଆଜି ଶାନ୍ତି ଶୃଙ୍ଖଳା ମଧ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥିବାରୁ ଜିଲ୍ଲାରେ ଆଶ୍ବସ୍ତି ପ୍ରକାଶ ପାଇଛି। ଆଗାମୀ ଦିନରେ ଏହିପରି ଶାନ୍ତି ବଜାୟ ରହିବ ବୋଲି ସମସ୍ତେ ଆଶା କରୁଛନ୍ତି।

Leave A Reply

Your email address will not be published.