HAC ଫାଉଣ୍ଡେସନ୍–DCPU ନବରଙ୍ଗପୁର ଯୁଗ୍ମ ଆୟୋଜନରେ ଜିଲ୍ଲା ସ୍ତରୀୟ ‘ମୋର ଅଧିକାର, ମୋର ସ୍ୱପ୍ନ’ ଶିଶୁ ଉତ୍ସବ

3

“ବଡ଼ ସ୍ୱପ୍ନ ଦେଖ, ପରିଶ୍ରମ କର ଓ ସଫଳତା ଲଭ” — ଏଡିଏମ 

ନବରଙ୍ଗପୁର, ଓଡ଼ିଶା | ୯ ଡିସେମ୍ବର ୨୦୨୫, ଅଶୋକ ସାହୁ, ଶାସକ ପ୍ରଶାସକ: HAC ଫାଉଣ୍ଡେସନ୍ ଓ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ୍ ୟୁନିଟ୍ (DCPU), ନବରଙ୍ଗପୁରଙ୍କ ସଂଯୁକ୍ତ ଆୟୋଜନରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ‘ମୋର ଅଧିକାର, ମୋର ସ୍ୱପ୍ନ’ DPRC, ନବରଙ୍ଗପୁରରେ ଅନୁଷ୍ଠିତ ହୋଇ ଶିଶୁ ଅଧିକାର, ସ୍ୱପ୍ନ ଓ ସଶକ୍ତିକରଣକୁ ନେଇ ଏକ ଅର୍ଥପୂର୍ଣ୍ଣ ମଞ୍ଚ ସୃଷ୍ଟି କରିଥିଲା।

ଏହି କାର୍ଯ୍ୟକ୍ରମରେ ମୋଟ ୭୦ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ଏଥିରେ ସରକାରୀ ଶିଶୁ ସେବା ସଂସ୍ଥା (CCI)ର ଶିଶୁ ଓ ନବରଙ୍ଗପୁର ଏବଂ ପାପଡ଼ାହାଣ୍ଡି ବ୍ଲକର ୨୦ଟି ହସ୍ତକ୍ଷେପ ଗାଁର ପିଅର-ଟୁ-ପିଅର ଶିଶୁ ନେତାମାନେ ସକ୍ରିୟ ଭାଗୀଦାର ହୋଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଏବଂ ଶିଶୁ ଅଧିକାର ଉପରେ ଇଣ୍ଟର୍ଆକ୍ଟିଭ୍ ଆଲୋଚନା ମାଧ୍ୟମରେ ଶିଶୁମାନେ ତାଙ୍କର ସୃଜନଶୀଳତା, ଆତ୍ମବିଶ୍ୱାସ ଓ ନେତୃତ୍ୱକୁ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅତିରିକ୍ତ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଶ୍ରୀ ତପନ କୁମାର ଖୁଣ୍ଟିଆ କହିଥିଲେ ଯେ, “ପ୍ରତ୍ୟେକ ଶିଶୁଙ୍କର ବଡ଼ ସ୍ୱପ୍ନ ଦେଖିବା ଓ ସେହି ସ୍ୱପ୍ନକୁ ପୂରଣ କରିବାର ଅଧିକାର ରହିଛି। ଶିଶୁମାନେ ସ୍ୱପ୍ନ ଦେଖନ୍ତୁ, ସାଧନା କରନ୍ତୁ ଏବଂ ନିଶ୍ଚୟ ସଫଳତା ଲଭିବେ।” ସେ ଶିଶୁମାନଙ୍କୁ ପଢ଼ାଶୁଣା ସହ ନୀତିମୂଳକ ମୂଲ୍ୟବୋଧ ଓ ଆତ୍ମବିଶ୍ୱାସ ଗଢ଼ି ଉଠିବାରେ ଜୋର ଦେଇଥିଲେ।

ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ କଳ୍ପନା ମହାଖୁଡ଼ ଶିଶୁମାନଙ୍କୁ ନିଜ ଆକାଂକ୍ଷା ଅନୁଯାୟୀ ସ୍ୱପ୍ନ ଦେଖିବା ଏବଂ ସେଗୁଡ଼ିକୁ ପୂରଣ କରିବାକୁ ନିରନ୍ତର ପ୍ରୟାସ କରିବା ପାଇଁ ପ୍ରେରଣା ଦେଇଥିଲେ। ଏହି ଅବସରରେ ସେ ଗୋଟିଏ ପ୍ରେରଣାଦାୟକ ଓଡ଼ିଆ ଗୀତ ଗାଇ ଶିଶୁମାନଙ୍କୁ ଆହୁରି ଉତ୍ସାହିତ କରିଥିଲେ। ଶିଶୁମାନେ ତାଙ୍କ ସହ ମିଶି ସେହି ଗୀତ ଗାଇ ସମାରୋହକୁ ଆନନ୍ଦମୟ ଓ ସ୍ମରଣୀୟ କରିଦେଇଥିଲେ।

ସ୍ପେଶାଲ୍ ଜୁଭେନାଇଲ୍ ପୋଲିସ୍ ୟୁନିଟ୍ (DSP) ଶ୍ରୀମତୀ ସରୋଜ ପୁନମ କିସ୍ପୋଟ୍ଟା ଶିଶୁମାନଙ୍କୁ ସୁରକ୍ଷା, ସାହସ ଓ ଆତ୍ମସମ୍ମାନ ସମ୍ପର୍କରେ ସଚେତନ କରିଥିଲେ। ତାଙ୍କ ସହ IUCAW, ନବରଙ୍ଗପୁରରୁ ଇନ୍ସପେକ୍ଟର ଶ୍ରୀମତୀ ସୀମା ପ୍ରଧାନ ଓ ଇନ୍ସପେକ୍ଟର ଶ୍ରୀମତୀ ସୀମା ସଙ୍ଗୀତା ଲୁଗୁନ ଉପସ୍ଥିତ ରହି ଶିଶୁମାନଙ୍କୁ ଜୀବନରେ କେବେ ଭୟଭୀତ ନହୋଇ ନିଜ ଅଧିକାର ପାଇଁ ଆଗକୁ ଆସିବାକୁ ଓ ସ୍ୱପ୍ନ ପୂରଣ ପଥରେ ଅଡ଼ିଗ ରହିବାକୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ CWC ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜନ୍ତା ସୁଭା ଦାର୍ଶନୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ ପଟ୍ନାୟକ୍ ମଧ୍ୟ ଉପସ୍ଥିତ ଥାଇ ଶିଶୁମାନଙ୍କ ପ୍ରତିଭା ଓ ସଚେତନତାକୁ ସ୍ୱାଗତ କରିଥିଲେ।

CCCD–ନବରଙ୍ଗପୁରର ପ୍ରୋଗ୍ରାମ୍ ସସ୍ଟେନବିଲିଟି ଲିଡ୍ ଶ୍ରୀ ସୋଭରାଜ ନାଗ କହିଥିଲେ ଯେ, “ଏହି ଉତ୍ସବ ଶିଶୁମାନଙ୍କୁ ସୁରକ୍ଷିତ ପରିବେଶ, ନେତୃତ୍ୱ ଓ ସମାନ ସୁଯୋଗ ଦେଇ ସେମାନଙ୍କ ସ୍ୱପ୍ନକୁ ସାକାର କରିବା HAC ଫାଉଣ୍ଡେସନଙ୍କ ପ୍ରତିବଦ୍ଧତାର ପ୍ରତିବିମ୍ବ।”

ଉଲ୍ଲେଖନୀୟ ଯେ, HAC ଫାଉଣ୍ଡେସନ୍ ଓଡ଼ିଶା ସହିତ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ ଓ ତମିଳନାଡୁରେ ଶିଶୁ ସୁରକ୍ଷା, ଖେଳାଧୁଳା ମାଧ୍ୟମରେ ଶିକ୍ଷା, ପେରେଣ୍ଟିଂ ସମର୍ଥନ, ସସ୍ଥାୟୀ ଜୀବିକା ଓ SHG ମାଧ୍ୟମରେ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟରତ। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହ ଏଭଳି ସହଯୋଗ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରି ଶିଶୁ-ମୈତ୍ରୀ ସମାଜ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ପରିଗଣିତ ହେଉଛି।

Leave A Reply

Your email address will not be published.