ଭଞ୍ଜନଗରରେ ହେବ ସୁପର୍ ମାର୍କେଟ କମ୍ପ୍ଲେକ୍ସ, ଉପେନ୍ଦ୍ର ଭଞ୍ଜ ମ୍ୟୁଜିୟମ୍ ; ପ୍ରସ୍ତାବିତ ଜାଗା ବୁଲି ଦେଖିଲେ ଜିଲ୍ଲାପାଳ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲାପାଳ ଭୀ.କିର୍ତ୍ତିଭାସନ ଭଞ୍ଜନଗର ଗସ୍ତରେ ଆସିବା ସହ ପ୍ରସ୍ତାବ ରହିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ବୁଲି ଦେଖିଥିଲେ । ସେ ପ୍ରଥମେ ବିପ୍ଳବୀ ବୀର ମହାନ ସ୍ଵାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ କର୍ମକ୍ଷେତ୍ର ଚନ୍ଦ୍ରଗିରି ଜଙ୍ଗଲରେ ଚାଲିଥିବା ଚକ୍ରଘାଟି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ | ଏଠାରେ ପ୍ରାୟ ୬ କୋଟି ଟଙ୍କାରେ ଏହି ସ୍ଥାନରେ ଉନ୍ନୟନ କାର୍ଯ୍ୟ ଜୋର୍ସୋରରେ ଚାଲିଥିବା ବେଳେ, ବନ ବିଭାଗ ପକ୍ଷରୁ ଏହି ସ୍ଥାନର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଏକ ୱାଚ୍ ଟାୱାର୍ ଓ ପର୍ଯ୍ୟଟକଙ୍କ ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଉଛି। ଏହି କାର୍ଯ୍ୟର ଅଗ୍ରଗତି ସଂର୍ପକରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ରହିଥିବା ବେଳେ ବିଭାଗ ସହ ଆଲୋଚନା କରି କିଭଳି ଅର୍ଥ ଅଣାଯାଇ ପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । କିଛି ସୂଚନାଥାଉ କି ଚକରା ବିଷୋୟୀ ଉକ୍ତ ସ୍ଥାନରେ ଦେବୀଙ୍କୁ ଆରାଧନା କରିବା ସହ ଇଂରେଜମାନଙ୍କ ବିରୋଧରେ ସେନାବାହିନୀ ପ୍ରସ୍ତୁତ କରି ରଣନୀତି ପ୍ରସ୍ତୁତ କରିଥିବା ଇତିହାସରେ ବର୍ଣିତ ।ପ୍ରଦ୍ୟୁମ୍ନ କୁମାର ନାୟକ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ଏହି ସ୍ଥାନର ଉନ୍ନତି ପାଇଁ ବହୁବିଧ ପ୍ରୟାସ କରିଥିବା ବେଳେ ନିୟମିତ ଏହି ସ୍ଥାନ ଗସ୍ତ କରି ଏହାର ତଦାରଖ କରୁଛନ୍ତି। ସେହିପରି ଭଞ୍ଜନଗର ଏନ୍.ଏ.ସି କୁ ମ୍ୟୁନିସିପାଲଟି ଘୋଷଣା କରାଯିବା ପରେ ଏଠାରେ ଅତ୍ୟାଧୁନିକ ସୁବିଧା କିଭଳି ଲୋକମାନଙ୍କୁ ଦିଆଯାଇ ପାରିବ, ଏହି ଅଞ୍ଚଳର ଲୋକଙ୍କ ନିମନ୍ତେ ଅନେକ ବଡ ବଡ ପ୍ରକଳ୍ପ କରିବା ନେଇ ପ୍ରସ୍ତାବ ରହିଥିବା ବେଳେ ସେହି ସବୁ ସ୍ଥାନ ବୁଲି ଦେଖିଥିଲେ। ସହର ମଧ୍ୟରେ ରହିଥିବା ପୁରୁଣା ଜେଲ୍ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ପ୍ରାୟ ୨ ଏକର ଜାଗାରେ ଏକ ସୁପର୍ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ନେଇ ପ୍ରସ୍ତାବ ରହିଛି। ଉକ୍ତ ସ୍ଥାନ ବୁଲି ଦେଖିବା ସହ ନିର୍ମାଣ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସର ଡିପିଆର୍ ଆଦି ସଂର୍ପକରେ ଅଧିକାରୀଙ୍କୁ ପଚାରିଥିଲେ | ଏହାପରେ ସେ କବିସମ୍ରାଟ ଷ୍ଟାଡ଼ିୟମ (ପୁରୁଣା ଜେଲ୍ ପଡ଼ିଆ) ବୁଲିବା ସହ ଏହାର ଉନ୍ନତିକରଣ, ଗ୍ୟାଲେରି, ପୋଡ଼ିଅମ ଆଦି ନିର୍ମାଣ ନେଇ ଆଲୋଚନା କରିଥିଲେ | ଏହାପରେ ସହର ମଧ୍ୟରେ ରହିଥିବା ଭଞ୍ଜ ସାହିତ୍ୟ ପରିଷଦର ଉନ୍ନତିକରଣ ସହ ଏଠାରେ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଓ କୃତୀ ସଂପର୍କିତ ଏକ ମ୍ୟୁଜିୟମ୍ ନିର୍ମାଣ ହେବା ନେଇ ପ୍ରସ୍ତାବ ରହିଥିବା ବେଳେ ତାକୁ ମଧ୍ୟ ବୁଲି ଦେଖିଥିଲେ। ପ୍ରସ୍ତାବିତ ମ୍ୟୁନିସିପାଲିଟି ପାଇଁ ନୂତନ କୋଠା ନିମନ୍ତେ ଜାଗା, ଘୁମୁସର କ୍ଲବ୍ର ଉନ୍ନତିକରଣ କରିବା ନେଇ ସେହି ସ୍ଥାନ ମଧ୍ୟ ବୁଲି ଦେଖିଥିଲେ | ଏଥିସହ ଆଇଏଏସ୍ ଓ ଓଏଏସ୍ ଭଳି ସିଭିଲ ସର୍ଭିସ ପରୀକ୍ଷା ନିମନ୍ତେ ଆଶାୟୀଙ୍କ ପାଇଁ ଜିଲ୍ଲାରେ ଆଗାମୀ ଦିନରେ ୩ଟି ମାଗଣା କୋଚିଂ କେନ୍ଦ୍ର ବ୍ୟବସ୍ଥା ଗ୍ରହଣ ନିମନ୍ତେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଠାରେ ମଧ୍ୟ ଏକ କୋଚିଂ କେନ୍ଦ୍ର ଏକ ପୁରୁଣା ହଷ୍ଟେଲକୁ ଚୟନ କରାଯାଇଥିବା ବେଳେ ତାକୁ ମଧ୍ୟ ବୁଲି ଦେଖିଥିଲେ। ଏଭଳି କୋଚିଂ ସେଣ୍ଟର୍ ଏଠାରେ ଖୋଲିବା ପରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ଏହାଦ୍ଵାରା ଉପକୃତ ହୋଇ ପାରିବେ ବୋଲି ମତପ୍ରକାଶ ପାଇଛି। ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ନଗରପାଳ ଗୋପବନ୍ଧୁ ମହାପାତ୍ର, ଡେପୁଟି ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲିକୃଷ୍ଣ ପଣ୍ଡା, ଅତିରିକ୍ତ ତହସିଲଦାର ଅବିନାଶ ମାହାର ପ୍ରମୁଖ ଉପସ୍ଥିତ ରହିଥିଲେ |